ବେଙ୍ଗାଲୁରୁ: ତାମିଲନାଡ଼ୁର ନୂତନ ମୁଖ୍ୟମନ୍ତ୍ରୀ କି ଜୋସେଫ୍ ବିଜୟ କ୍ଷମତାକୁ ଆସୁ ଆସୁ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟରେ ୭୦୦ରୁ ଉର୍ଦ୍ଧ୍ୱ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜୟ ସରକାର । ସରକାରୀ ନିର୍ଦ୍ଦେଶନାମା ଜାରି ହେବାର ୨ ସପ୍ତାହ ମଧ୍ୟରେ ସମସ୍ତ ବନ୍ଦ ଦୋକାନରେ ତାଲା ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ରବିବାର ଦିନ ବିଜୟ ତାଙ୍କର ସରକାର ଗଢ଼ିଥିଲେ । ତେବେ ମଙ୍ଗଳବାର ସେ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ୭୧୭ଟି ମଦ ଦୋକାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁ ମଦ ଦୋକାନ ଗୁଡ଼ିକ ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସ୍ ଷ୍ଟେସନର ୫୦୦ ମିଟର ମଧ୍ୟରେ ରହିଛି ସେହିଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତାମିଲନାଡ଼ୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍ ଅଧୀନରେ ରାଜ୍ୟରେ ମୋଟ ୪,୭୬୫ଟି ମଦ ଦୋକାନ ଚାଲୁଛି । ସେଥିମଧ୍ୟରୁ ଧାର୍ମିକ ସ୍ଥଳ ନିକଟରେ ୨୭୬ଟି, ଶିକ୍ଷାନୁଷ୍ଠାନ ନିକଟରେ ୧୮୬ଟି ଏବଂ ବସ୍ ଷ୍ଟାଣ୍ଡ ନିକଟରେ ଥିବା ୨୫୫ଟି ମଦ ଦୋକାନକୁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବନ୍ଦ କରାଯିବ ବୋଲି ସରକାର କହିଛନ୍ତି । ଜନସାଧାରଣ ହିତ ନିମନ୍ତେ ଦୁଇ ସପ୍ତାହ ମଧ୍ୟରେ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିଜୟଙ୍କ ଟିଭିକେ ଦଳ ସଦ୍ୟ ସମାପ୍ତ ନିର୍ବାଚନରେ ମୋଟ ୧୦୮ଟି ଆସନରେ ବିଜୟ ହୋଇଥିଲା । ଦଳ ୨୩୪ ବିଶିଷ୍ଟ ଆସନ ମଧ୍ୟରୁ ମ୍ୟାଜିକ ନମ୍ବର ୧୧୮କୁ ଛୁଇଁ ପାରିନଥିଲା । ଫଳରେ ଦଳକୁ କଂଗ୍ରେସ ସହିତ ମେଣ୍ଟ କରିବାକୁ ପଡ଼ିଥିଲା । ଏହା ପରେ ରବିବାର ଦିନ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଟିଭିକି ନିର୍ବାଚନୀ ଇସ୍ତାହାର ନିଶା ଦ୍ରବ୍ୟ ଉପରେ ରୋକ ଲଗାଇବା ନେଇ ଘୋଷଣା କରିଥିଲା ।