ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ପଞ୍ଜାବ କିଙ୍ଗ୍ସକୁ ୩ ୱିକେଟ୍ ରେ ପରାସ୍ତ କରିଛି । ଏହି ମ୍ୟାଚରେ ପଞ୍ଜାବର ବ୍ୟାଟିଂ ଦେଖି ଏଭଳି ଲାଗୁଥିଲା ଯେଭଳି ପଞ୍ଜାବ ଏହି ମ୍ୟାଚକୁ ସହଜରେ ଜିତି ପୁନର୍ବାର ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିବ । କିନ୍ତୁ ନିଜ ଦ୍ଵିତୀୟ ଆଇପିଏଲ ମ୍ୟାଚ ଖେଳୁଥିବା ଯୁବ ଅଲରାଉଣ୍ଡର ମାଧବ ତିୱାରୀ ପଞ୍ଜାବ ସାମ୍ନାରେ କଣ୍ଟା ପରି ଠିଆ ହୋଇଥିଲେ । ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ଦିଲ୍ଲୀକୁ ମ୍ୟାଚ ଜିତାଇବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଛନ୍ତି ।
ପ୍ରଥମ ଇନିଂସରେ ପଞ୍ଜାବର ବିସ୍ଫୋରକ ବ୍ୟାଟର ପ୍ରିୟାଂଶ ଆର୍ୟା ରନ ବର୍ଷା କରୁଥିଲେ । ପାୱାରପ୍ଲେରେ ୨୪ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ପ୍ରିୟାଂଶ । ଏହା ପରେ ପଞ୍ଜାବର ରନ ଗତିରେ ବ୍ରେକ ଲଗାଇବା ପାଇଁ ମ୍ୟାଚର ନବମ ଓଭର ପକାଇବାକୁ ଆସିଥିଲେ ମାଧବ ତିୱାରୀ । ଏହି ଓଭରର ପ୍ରଥମ ବଲରେ ଶ୍ରେୟସ ଆୟର ଓ ଚତୁର୍ଥ ବଲରେ ପ୍ରିୟାଂଶ ଆର୍ୟା ଗୋଟିଏ ଲେଖାଏଁ ଚୌକା ମାରିଥିଲେ । ନିଜ ବୋଲିଂ ଉପରେ ଭରସା ରଖି ବିଶ୍ୱାସର ସହ ପ୍ରିୟାଂଶଙ୍କୁ ଏକ ଲେନ୍ଥ ବଲ ପକାଇଥିଲେ ମାଧବ ଓ ଏହି ବଲରେ ପ୍ରିୟାଂଶଙ୍କୁ ଆଉଟ କରି ନିଜ ଆଇପିଏଲ କ୍ୟାରିଅରର ପ୍ରଥମ ୱିକେଟ୍ ହାସଲ କରିଥିଲେ । ଏହା ପରେ ଇନ-ଫର୍ମ କୁପର କନୋଲିଙ୍କୁ ଆଉଟ କରି ସମୁଦାୟ ୨ ଟି ୱିକେଟ୍ ହାସଲ କରିଥିଲେ ।
ଦ୍ଵିତୀୟ ଇନିଂସ ମଧ୍ୟ ବେଶ ରୋମାଞ୍ଚକର ଥିଲା । ପାୱାରପ୍ଲେରେ ୩ ଟି ୱିକେଟ୍ ପଡିବା ପରେ ମଧ୍ୟ ଅକ୍ସର ପଟେଲ ଓ ଡେଭିଡ ମିଲରଙ୍କ ମଧ୍ୟରେ ହୋଇଥିବା ଭାଗିଦାରୀତାରେ ଦିଲ୍ଲୀ କମ୍-ବ୍ୟାକ୍ କରିଥିଲା । ୧୭ ତମ ଓଭରରେ ମିଲର ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ମାଧବ ପ୍ରଥମ ବଲରେ ଚୌକା ମାରିଥିଲେ । ନିର୍ଭୟର ସହ ବ୍ୟାଟିଂ କରି ୨ ଟି ଚୌକା ଓ ଗୋଟିଏ ଛକା ବଳରେ ୮ ବଲରେ ଅପରାଜିତ ରହି ୧୮ ରନ ସଂଗ୍ରହ କରିଥିଲେ ମାଧବ । ନିଜ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦିଲ୍ଲୀକୁ ମ୍ୟାଚ ଜିତାଇଥିଲେ ଓ ପ୍ଲେଆର ଅଫ ଦ ମ୍ୟାଚ ମଧ୍ୟ ହୋଇଥିଲେ ।
ମ୍ୟାଚ ଜିତିବା ପରେ କଣ କହିଲେ ମାଧବ
ପ୍ଲେଆର ଅଫ ଦ ମ୍ୟାଚ ଆୱାର୍ଡ ନେବା ପରେ ମାଧବ କହିଥିଲେ, "ଖେଳିବ ନଖେଳିବା ଆମ ହାତରେ ନଥାଏ, କିନ୍ତୁ ପ୍ରତିଦିନ ଅଭ୍ୟାସ କରିବାକୁ ପଡେ । ଆମ ବ୍ୟାଟିଂ କୋଚ ମତେ ବହୁତ ପ୍ରୋତ୍ସାହନ ଦେଇଛନ୍ତି ଓ ବୋଲିଂ କୋଚ ମୁନାଫ ପଟେଲଙ୍କ ସହ ମଧ୍ୟ ବହୁତ ପରିଶ୍ରମ କରିଛି। ମୁଁ ଖୁସି ଥିଲି ଓ ଟିମ ପାଇଁ ଯୋଗ ଦେଇ ମଧ୍ୟ ଖୁସି ଅଛି ।"
ଏହା ପରେ ଯେତେବେଳେ ଉପସ୍ଥାପକ ତାଙ୍କୁ ପଚାରିଥିଲେ, ଅଧିକାଂଶ ସମୟରେ ଘରୋଇ କ୍ରିକେଟ ମଧ୍ୟପ୍ରଦେଶ ଓ MPT20 ଲିଗରେ ମଧ୍ୟ ଦେଖିଛୁ, କି ଆପଣ ଜଣେ ଭଲ ବୋଲର କିନ୍ତୁ ବ୍ୟାଟ୍ସମ୍ୟାନ ଭାବେ ଟିକେ ଅଧିକ ଭଲ । କଣ ଆପଣ ଏଥିରେ ସହମତ ? ଏହାର ଉତ୍ତର ରଖିଥିଲେ ମାଧବ ଓ କହିଥିଲେ "ମୁଁ ଜଣେ ୧୦୦ % ବୋଲର ଓ ୧୦୦ % ବ୍ୟାଟ୍ସମ୍ୟାନ।"