ଭୁବନେଶ୍ୱରରେ ପୁଣିଥରେ ଚର୍ଚ୍ଚାରେ ‘ଆମ ବସ୍’। ଆଜି (ବୁଧବାର) ଦିନ ଦ୍ୱିପ୍ରହରରେ ଜୟଦେବବିହାର ଓ ଆଚାର୍ଯ୍ୟବିହାର ମଧ୍ୟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି କରିଛି। ଅଭିଯୋଗ ଅନୁସାରେ, ଏକ ଆମ ବସ୍ ବେପରୁଆ ଭାବେ ଆସି ଜଣେ ବାଇକ୍ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ତୁରନ୍ତ ନିକଟସ୍ଥ ମେଡିକାଲକୁ ପଠାଯାଇଛି।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ବସ୍ କାଚ ଭାଙ୍ଗିଦେଇଥିଲେ। ପରିସ୍ଥିତି ଅଧିକ ତୀବ୍ର ହେବା ପୂର୍ବରୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।
ଏହି ଘଟଣା ପୁଣିଥରେ ରାଜଧାନୀରେ ଆମ ବସ୍ କୁ ନେଇ ପ୍ରଶ୍ନ ଉଠାଇଛି। ଗତ କିଛି ଦିନ ଧରି ଦୁର୍ଘଟଣା ବୃଦ୍ଧି ପାଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖିବାକୁ ମିଳୁଛି। ବେପରୁଆ ଗାଡ଼ି ଚଳାଚଳ ଓ ସଡ଼କ ସୁରକ୍ଷା ନିୟମ ପାଳନକୁ ନେଇ ଏବେ ପ୍ରଶାସନର କଡା ପଦକ୍ଷେପ ଉପରେ ସମସ୍ତଙ୍କର ନଜର ରହିଛି।