ଆଗକୁ ସାବିତ୍ରୀ ଅମାବାସ୍ୟା । ରାଜ୍ୟରେ ଫଳମୂଳ ଚାହିଦା ବଢୁଥିବାବେଳେ ବାହାର ରାଜ୍ୟର ବ୍ୟବସାୟୀମାନେ ସକ୍ରିୟ ହୋଇଥାନ୍ତି । ଗଜପତି ଜିଲ୍ଲା ଭଳି ଆଦିବାସୀ ଅଞ୍ଚଳରେ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରେ ସପୁରୀର ଚାହିଦା ଅଧିକ ରହିଥାଏ । ଏହି ସପୁରୀକୁ ପଡୋଶୀ ରାଜ୍ୟର ବ୍ୟବସାୟୀ କମ ଦରରେ କିଣିଥାନ୍ତି । ବିଶେଷ କରି ଗଜପତିର ସପୁରୀ ବହୁତ ସ୍ୱାଦିଷ୍ଟ ହୋଇଥାଏ, ତେଣୁ ଏହା ପ୍ରତି ଆନ୍ଧ୍ର ବ୍ୟବସାୟୀଙ୍କ ଚାହିଦା ଅଧିକ ରହିଥାଏ ।
ଗଜପତି ଜିଲ୍ଲାରୁ ବର୍ଷକୁ ପ୍ରାୟ ହଜାର ମେଟ୍ରିକ୍ ଟନ୍ ସପୁରୀ ଉତ୍ପାଦନ ହୋଇଥାଏ। ଗଜପତି ଜିଲ୍ଲାର ତିନୋଟି ବ୍ଳକର ସମସ୍ତ ଗାଁରୁ ପ୍ରାୟ ହଜାର କୁଇଣ୍ଟାଲ ସପୁରୀ ପ୍ରତିବର୍ଷ ଉତ୍ପାଦନ କରାଯାଇଥାଏ। ଏକଦା ଗଜପତିର ସୁସ୍ୱାଦୁ ଜଙ୍ଗଲି ସପୁରୀ ଓଡ଼ିଶା ବଜାରରେ ରପ୍ତାନି ହେଉଥିଲା। କିନ୍ତୁ ବର୍ତ୍ତମାନ ଶୀତଳ ଭଣ୍ଡାରର ଅଭାବ ଯୋଗୁ ଚାଷୀ ଏହାକୁ ମହଜୁଦ କରି ରଖିପାରୁନାହାନ୍ତି । ଏହି ଅସୁବିଧାର ସମ୍ମୁଖୀନ ହୋଇ କମ ଦରରେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି ।
ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମେତ, କଟକ ଓ ଅନ୍ୟ ଜିଲ୍ଲାକୁ ଏହି ସପୁରୀ ରପ୍ତାନି କରାଯାଇ, କିନ୍ତୁ ପଡ଼ୋଶୀ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ବିହାର ଓ ମଧ୍ୟପ୍ରଦେଶର ବ୍ୟବସାୟୀଙ୍କ ଏହା ପ୍ରଥମ ପସନ୍ଦ। ତେଣୁ ଠିକ ସମୟରେ ଚାଷୀଙ୍କ ଠାରୁ କମ ଦରରେ କିଣି ନେଇ ଶୀତଳ ଭଣ୍ଡାରରେ ରହୁଛନ୍ତି ଓ ପରେ ଚଢା ଦରରେ ବିକ୍ରି କରୁଛନ୍ତି । ଚାଷୀ କଠିନ ପରିଶ୍ରମ କରି ସପୁରୀ ଚାଷ କରୁଥିବାବେଳେ ମାତ୍ର ୫ ରୁ ୧୨ ଟଙ୍କା କିଲୋରେ ସପୁରୀ ବିକ୍ରି କରୁଛନ୍ତି। ଗଜପତି ଜିଲ୍ଲାରେ ଶୀତଳ ଭଣ୍ଡାର କରାଗଲେ ଚାଷୀଙ୍କୁ ଅଧିକ ଲାଭ ମିଳିବ ବୋଲି ଚାଷୀ ପ୍ରତିକ୍ରିୟା ରଖିଛନ୍ତି ।