ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଗୁପଚୁପ ପ୍ରେମୀମାନଙ୍କ ପାଇଁ ଆସୁଛି ଏକ ଖୁସିର ଖବର। ଏବେ ସହରରେ ଖୋଲିବାକୁ ଯାଉଛି ଏକ ସ୍ୱତନ୍ତ୍ର ‘ଗୁପଚୁପ ବଜାର’। ରାସ୍ତା କଡ଼ରେ ଛିଟିଏ-ଫୁଟିଏ ଥିବା ଗୁପଚୁପ ଦୋକାନଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ଜାଗାରେ ଏକତ୍ର କରି ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ପରିବେଶ ଦେବାକୁ ଏହି ବଡ଼ ପଦକ୍ଷେପ ନେଇଛି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ।
ସୂଚନା ଅନୁସାରେ, Regional Institute of Education ସମ୍ମୁଖରେ ଥିବା ରାସ୍ତା ପାର୍ଶ୍ୱ ଅଞ୍ଚଳକୁ ଏହି ‘ଗୁପଚୁପ ବଜାର’ ପାଇଁ ଚୟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ରୁ ୪୦ ଜଣ ଗୁପଚୁପ ବ୍ୟବସାୟୀଙ୍କୁ ଏଠାରେ ସ୍ଥାନ ମିଳିବ। ସହିଦନଗର, ନିକୋ ପାର୍କ ଓ ଆଖପାଖ ଅଞ୍ଚଳରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କୁ ଏଠାକୁ ସ୍ଥାନାନ୍ତର କରାଯାଇପାରେ।
ଏହି ନୂଆ ବଜାରକୁ ଆକର୍ଷଣୀୟ କରିବା ପାଇଁ ପୂର୍ବରୁ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇସାରିଛି। ପେଭର ବ୍ଲକ୍ ବିଛାଯାଇଥିବା ବେଳେ ଡେକୋରେଟିଭ୍ ଲାଇଟ୍ ମଧ୍ୟ ଲଗାଯାଇଛି। ସନ୍ଧ୍ୟା ସମୟରେ ଏହି ଅଞ୍ଚଳ ଖାଦ୍ୟପ୍ରେମୀମାନଙ୍କ ପାଇଁ ଏକ ନୂଆ ହଟସ୍ପଟ୍ ହୋଇଉଠିବ ବୋଲି ଆଶା କରାଯାଉଛି।
ସବୁଠୁ ଆକର୍ଷଣୀୟ କଥା ହେଉଛି, ସମସ୍ତ ବ୍ୟବସାୟୀଙ୍କୁ ଏକ ଧରଣର ଡିଜାଇନ୍ର କଷ୍ଟମାଇଜ୍ ଟ୍ରଲି ଦିଆଯିବ। ଏଥିପାଇଁ ବିଏମସି ପକ୍ଷରୁ ୮୦ରୁ ଅଧିକ ଟ୍ରଲି ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ବଜାରରେ ଏକ ନିୟମିତ ଓ ସୁନ୍ଦର ପରିବେଶ ଦେଖିବାକୁ ମିଳିବ।
ଏହି ପଦକ୍ଷେପ କେବଳ ବ୍ୟବସାୟୀମାନଙ୍କ ପାଇଁ ନୁହେଁ, ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଏକ ବଡ଼ ସୁବିଧା ହେବ। ଏକ ଜାଗାରେ ବିଭିନ୍ନ ସ୍ୱାଦର ଗୁପଚୁପ, ଚାଟ୍ ଓ ଅନ୍ୟାନ୍ୟ ଷ୍ଟ୍ରିଟ୍ ଫୁଡ୍ର ମଜା ଉଠାଇପାରିବେ ଲୋକେ। ଏଥିସହିତ ସୁଚ୍ଛତା ଓ ଯାତାୟାତ ବ୍ୟବସ୍ଥା ମଧ୍ୟ ଉନ୍ନତ ହେବ ବୋଲି ବିଏମସି ଆଶା କରୁଛି।