ପୁଣି ଇସ୍କନ୍ର ମନମାନି। ଅତିଥିରେ ରଥଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି ଇସ୍କନ। ଆମେରିକା ଫ୍ଲୋରିଡା ଜ୍ୟାକ୍ସ ବେଳାଭୂମିରେ ରଥଯାତ୍ରା କରିବାକୁ ଯାଉଛି ଇସ୍କନ। ଆସନ୍ତା ୧୬ ତାରିଖରେ ରଥଯାତ୍ରା କରାଯିବା ନେଇ ଘୋଷଣା କରାଯାଇଛି। ଏନେଇ ଏକ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କ ରଥଯାତ୍ରା କରିବା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଯୋଜନା କରାଯାଇଛି। ଦୁଇ ଦିନ ତଳେ ଲଣ୍ଡନ ଇସ୍କନ ଅଦିନିଆ ସ୍ନାନ ଯାତ୍ରା କରାଯାଇଥିଲା । କିଛି ଦିନ ପୂର୍ବରୁ ଆମେରିକା ହ୍ୟୁଷ୍ଟନ ସହରରେ ବି ହୋଇଥିଲା ଅଦିନିଆ ରଥଯାତ୍ରା।
ବାରମ୍ବାର ବାରଣ ସ୍ୱତେ ବି ଇସ୍କନ୍ର ମନମାନି କରିବାରୁ ଏନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମହାପ୍ରଭୁଙ୍କ ପାରମ୍ପରିକ ନୀତିକାନ୍ତିକୁ ଅମାନ୍ୟ କରାଯାଉଛି ବୋଲି ଅନେକ ସେବାୟତ ଓ ଭକ୍ତ ମତ ପ୍ରକାଶ କରିଛନ୍ତି।
ଅନେକଙ୍କ ମତରେ, ଶ୍ରୀମନ୍ଦିରର ନୀତି ଓ ପରମ୍ପରା ନିର୍ଦ୍ଧାରିତ ସମୟ ଓ ତିଥି ଅନୁଯାୟୀ ପାଳନ କରାଯାଏ। ଏଭଳି ଅଦିନିଆ ସ୍ନାନଯାତ୍ରା କିମ୍ବା ରଥଯାତ୍ରା ଆୟୋଜନ କରିବା ମହାପ୍ରଭୁଙ୍କ ପାରମ୍ପରିକ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି।
ପୂର୍ବରୁ ମଧ୍ୟ ବିଦେଶରେ ଇସ୍କନ ପକ୍ଷରୁ ଏପରି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଏହାକୁ ନେଇ ବିବାଦ ଜନ୍ମ ନେଇଥିଲା। ଏପରିକି ଗଜପତି ମହାରାଜ ମଧ୍ୟ ଇସ୍କନକୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଥିଲେ। ପରମ୍ପରା ଭଙ୍ଗ କରି ଅଦିନିଆ ରଥଯାତ୍ରା କିମ୍ବା ସ୍ନାନଯାତ୍ରା ନ କରିବାକୁ ସେ ପରାମର୍ଶ ଦେଇଥିଲେ। ତଥାପି ଇସ୍କନ ପକ୍ଷରୁ ପୁଣି ଏଭଳି ଆୟୋଜନ କରାଯିବା ଘଟଣା ଭକ୍ତମାନଙ୍କ ଭାବନାକୁ ଆଘାତ କରିଥିବା ଅଭିଯୋଗ ହେଉଛି।