ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଜମିବାଡ଼ି ବିବାଦକୁ ନେଇ ଘଟିଥିବା ରକ୍ତାକ୍ତ ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିନଥିବା ଅଭିଯୋଗରେ ମୃତଦେହକୁ ସାଇକେଲରେ ବୋହି ୧୫ କିଲୋମିଟର ଦୂର ଥାନା ପର୍ଯ୍ୟନ୍ତ ନେଇ ଧାରଣାରେ ବସିଥିଲେ ପରିବାର ଲୋକ। ଶେଷରେ ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଅଭିଯୁକ୍ତଙ୍କ ଗିରଫ ନେଇ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୪ ଘଣ୍ଟା ପରେ ଧାରଣା ହଟିଥିଲା।
ଘଟଣାଟି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗାଁର। ସୂଚନା ଅନୁସାରେ, ଘର ଛାତ ପକାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଜମିବାଡ଼ି ବିବାଦ ଚାଲିଥିଲା। ଏହି ବିବାଦ ଶନିବାର ଦିନ ହଠାତ୍ ଉତ୍ତେଜନାର ରୂପ ନେଇଥିଲା। ଅଭିଯୋଗ ଅନୁଯାୟୀ, ଗଣ୍ଡଗୋଳ ସମୟରେ ମାନସ ଜେନାଙ୍କ ପରିବାର ଲୋକ ସୁରେନ୍ଦ୍ର ସେଠୀଙ୍କ ପରିବାର ଉପରେ କଟୁରିରେ ଆକ୍ରମଣ କରିଥିଲେ।
ଏହି ଆକ୍ରମଣରେ ସୁରେନ୍ଦ୍ରଙ୍କ ଭଉଣୀ କମଳା ସେଠୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଶକୁନ୍ତଳା ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଘଟଣା ପରେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିନଥିବାରୁ କ୍ଷୁବ୍ଧ ପରିବାର ଲୋକ କମଳାଙ୍କ ମୃତଦେହକୁ ସାଇକେଲରେ ବୋହି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଘଟଣା ପୁଲିସ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଏବେ ସମସ୍ତଙ୍କ ନଜର ପୁଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।
ଅଧିକ ପଢନ୍ତୁ: ୫ ବର୍ଷର ଜମି ବିବାଦ ନେଲା ଜୀବନ; ନ୍ୟାୟ ପାଇଁ ଅନନ୍ୟ ପ୍ରତିବାଦ, ସାଇକେଲରେ ମୃତଦେହ ବୋହିଲେ ପରିବାର