ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ହରିପୁର ଗାଁରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ଉତ୍ତେଜିତ କରିଦେଇଛି। ପାଞ୍ଚ ବର୍ଷ ଧରି ଚାଲିଥିବା ଜମି ବିବାଦ ଶେଷରେ ନେଇଗଲା ଜଣେ ମହିଳାଙ୍କ ଜୀବନ। ଆଉ ପୋଲିସର ନିଷ୍କ୍ରିୟତା ଅଭିଯୋଗକରି ଅନନ୍ୟ ପ୍ରତିବାଦ କରାଯାଇଛି। ମୃତଦେହକୁ ସାଇକେଲରେ ବୋହି ଥାନାକୁ ନେଲେ ପରିବାର ଲୋକେ।
ମୃତ ମହିଳା ହେଲେ କମଳା ସେଠୀ। ଅଭିଯୋଗ ଅନୁଯାୟୀ, ମେ ୧୦ ତାରିଖରେ ଜମି ବିବାଦକୁ କେନ୍ଦ୍ର କରି ଭରତ ଜେନା, ତାଙ୍କ ପୁଅ ମାନସ ଜେନା ଏବଂ ପତ୍ନୀ ଭାରତୀ ଜେନା କମଳା ସେଠୀ ଓ ତାଙ୍କ ଭାଉଜଙ୍କୁ ହାତୁଡ଼ି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ କମଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଭାଉଜ ଗୁରୁତର ଅବସ୍ଥାରେ କଟକ ଏସ୍ସିବି ମେଡିକାଲରେ ଜୀବନ ସହ ଲଢ଼ୁଛନ୍ତି।
ରବିବାର ରାତିରେ କମଳାଙ୍କ ମୃତଦେହ ଘରକୁ ପହଞ୍ଚିବା ପରେ ପରିବାର ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଲିଥିଲା। ସୋମବାର ସକାଳେ ଗ୍ରାମବାସୀଙ୍କ ସହ ମିଶି ସେମାନେ ମୃତଦେହକୁ ସାଇକେଲରେ ବାନ୍ଧି ଖଇରା ଥାନାକୁ ନେଇଥିଲେ। ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ ଅବାକ୍ ହୋଇଯାଇଥିଲେ।
ପରିବାର ଲୋକଙ୍କ ଅଭିଯୋଗ, ପାଞ୍ଚ ବର୍ଷ ଧରି ଏହି ଜମି ବିବାଦ ନେଇ ଥାନାରେ ବାରମ୍ବାର ଅଭିଯୋଗ କରାଯାଇଥିଲା। କିନ୍ତୁ ପୋଲିସ କୌଣସି ସ୍ଥାୟୀ ସମାଧାନ କରିନଥିବାରୁ ଶେଷରେ ଏହା ହତ୍ୟାକାଣ୍ଡର ରୂପ ନେଇଛି।
ଅନ୍ୟପଟେ ପୋଲିସ ପକ୍ଷରୁ ପୂର୍ବରୁ ନୋଟିସ ଜାରି କରାଯାଇଥିବା କୁହାଯାଇଛି। ମୃତଦେହକୁ ଆମ୍ବୁଲାନ୍ସରେ ନେବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ପରିବାର ଲୋକେ ତାହା ଅସ୍ୱୀକାର କରିଥିଲେ। ସେମାନେ ଥାନା ଆଗରେ ଧରଣା ଦେଇ ତିନି ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଦାବି କରୁଛନ୍ତି। ଗାଁରେ ଏବେ ଶୋକ ସହ ଉତ୍ତେଜନା ଜାରି ରହିଛି। “ନ୍ୟାୟ ନମିଳିଲେ ଆନ୍ଦୋଳନ ଚାଲିବ” ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।