ଭୁବନେଶ୍ୱର: ରାଜ୍ୟରେ ପାଗ ନେଇ ବଡ଼ ଅପଡେଟ୍। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା, ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ହେବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ବିଜୁଳି ସହ ଘଡ଼ଘଡ଼ି ଏବଂ ପ୍ରବଳ ବେଗରେ ପବନ ବହିପାରେ। କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ସହ ସାଧାରଣ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ବିଶେଷକରି କାଳବୈଶାଖୀ ସମୟରେ ବଜ୍ରପାତର ଆଶଙ୍କା ଥିବାରୁ ଖୋଲା ସ୍ଥାନରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ଗତ କିଛି ଦିନ ଧରି ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ନାକେଦମ୍ ହୋଇପଡ଼ିଥିବା ବେଳେ ଏହି ବର୍ଷା କିଛି ଆଶ୍ୱସ୍ତି ଆଣିପାରେ। ତାପମାତ୍ରା ହ୍ରାସ ପାଇବା ସହ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି। ଏହାସହ କୃଷି କାର୍ଯ୍ୟ ପାଇଁ ମଧ୍ୟ ଏହି ବର୍ଷା ଲାଭଦାୟକ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ତେବେ ୧୮ ଓ ୧୯ ତାରିଖ ପାଇଁ କୌଣସି ବିଶେଷ ୱାର୍ଣ୍ଣିଂ ଜାରି କରାଯାଇନଥିବାରୁ ସେ ସମୟରେ ପାଗ ସାଧାରଣ ରହିପାରେ ବୋଲି ଅନୁମାନ କରାଯାଉଛି।