ଧର୍ମଶାଳା: ଆଇପିଏଲ ୨୦୨୬ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପଞ୍ଜାବ କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୨୦୧ ରନର ବିଶାଳ ଲକ୍ଷ୍ୟକୁ ମୁମ୍ବାଇ ମାତ୍ର ୪ ୱିକେଟ ହରାଇ ହାସଲ କରିନେଇଛି। ଏହି ପରାଜୟ ସହ ପଞ୍ଜାବର ପ୍ଲେ-ଅଫ୍ ସମୀକରଣ ଏବେ ଅତ୍ୟନ୍ତ ଜଟିଳ ହୋଇପଡ଼ିଛି।
୨୦୧ ରନର ପିଛା କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଯୁବ ବ୍ୟାଟର ତିଲକ ବର୍ମା ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ମାତ୍ର ୩୩ ବଲରୁ ୬ଟି ଚୌକା ଓ ୬ଟି ଛକା ସହାୟତାରେ ୭୫ ରନର ଅପରାଜିତ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ। ତାଙ୍କୁ ୱିଲ୍ ଜ୍ୟାକ୍ସ (ଅପରାଜିତ) ଭରପୂର ସହଯୋଗ କରିଥିଲେ। ଦୁହେଁ ପଞ୍ଚମ ୱିକେଟ ପାଇଁ ମାତ୍ର ୨୦ ବଲରୁ ୫୬ ରନ ଯୋଡ଼ି ବିଜୟ ପଥକୁ ସୁଗମ କରିଥିଲେ। ମୁମ୍ବାଇ ପକ୍ଷରୁ ଓପନର ରୟାନ୍ ରିକଲଟନ୍ ମଧ୍ୟ ୨୩ ବଲରୁ ୪୮ ରନର ଏକ ଦ୍ରୁତ ଇନିଂସ ଖେଳିଥିଲେ।
ପଞ୍ଜାବ ପକ୍ଷରୁ ପ୍ରଭସିମରନଙ୍କ ଅର୍ଦ୍ଧଶତକ
ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗସ ୨୦ ଓଭରରେ ୮ ୱିକେଟ ହରାଇ ୨୦୦ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ପ୍ରଭସିମରନ ସିଂ ସର୍ବାଧିକ ୫୭ ରନ୍ (୩୨ ବଲ୍) କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜମତୁଲ୍ଲା ଓମାରଜଇ ୩୮ ରନ୍ କରିଥିବା ବେଳେ ଶେଷ ଆଡ଼କୁ ବିଷ୍ଣୁ ବିନୋଦ ଓ ଜେଭିୟର ବାର୍ଟଲେଟ୍ ମାତ୍ର ୧୮ ବଲରୁ ୫୩ ରନ ସଂଗ୍ରହ କରି ଦଳକୁ ଏକ ବଡ଼ ସ୍କୋର ପର୍ଯ୍ୟନ୍ତ ନେଇଥିଲେ।
ପ୍ଲେ-ଅଫ୍ ଦୌଡ଼ରୁ ପଞ୍ଜାବ ପ୍ରାୟତଃ ବାହାର
ଏହି ପରାଜୟ ପରେ ପଞ୍ଜାବ କିଙ୍ଗସ ପାଖରେ ୧୨ଟି ମ୍ୟାଚରୁ ମାତ୍ର ୧୩ ପଏଣ୍ଟ ରହିଛି। ପ୍ଲେ-ଅଫ୍ ଆଶା ଜୀବିତ ରଖିବାକୁ ହେଲେ ଦଳକୁ ବାକି ଥିବା ଦୁଇଟି ଯାକ ମ୍ୟାଚ୍ ବଡ଼ ବ୍ୟବଧାନରେ ଜିତିବାକୁ ହେବ ଏବଂ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ, ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ ହିଁ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡ଼ିସାରିଛି।