ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ମ୍ୟାଚରେ ଦମଦାର ପ୍ରଦର୍ଶନ ପାଇଁ ବିସିସିଆଇ ଉଦୀୟମାନ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀକୁ ବଡ଼ ଉପହାର ଦେଇଛି । ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟ ଦଳରେ ସ୍କ୍ୱାର୍ଡ-ଏରେ ସାମିଲ ହୋଇଛନ୍ତି ବୈଭବ । ଆସନ୍ତା ଜୁନ ମାସରେ ହେବାକୁ ଥିବା ଭାରତ-ଶ୍ରୀଲଙ୍କା-ଆଫଗାନିସ୍ତାନ ତ୍ରି-ରାଷ୍ଟ୍ରୀୟ ସିରିଜ୍ ପାଇଁ ଭାରତୀୟ ଦଳରେ ବୈଭବଙ୍କୁ ବିସିସିଆଇ ମନୋନୀତ କରିଛନ୍ତି ।
ବିସିସିଆଇ ତ୍ରି-ରାଷ୍ଟ୍ରୀୟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛନ୍ତି । ୧୫ ଜଣିଆ ସ୍କ୍ୱାର୍ଡ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ତିଲକ ବର୍ମା । ସେହିପରି ରିୟାନ୍ ପରାଗ ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ । ଆଇପିଏଲ୍ ସିଜିନ୍ ସରିବା ମାତ୍ରେ ଜୁନ-୯ରୁ ଏହି ସିରିଜ୍ ଖେଳାଯିବ । ଜୁନ ୨୧ରେ ସିରିଜ୍ ସମାପ୍ତ ହେବ ।
ଇଣ୍ଡିଆ-ଏ ସ୍କ୍ଵାଡ୍: ତିଲକ ବର୍ମା (ଅଧିନାୟକ), ପ୍ରିୟାଂଶ ଆର୍ଯ୍ୟ, ବୈଭବ ସୂର୍ଯ୍ୟବଂଶୀ, ରିୟାନ୍ ପରାଗ (ଉପ-ଅଧିନାୟକ), ଆୟୁଷ ବଦୋନି, ନିଶାନ୍ତ ସିନ୍ଧୁ, ହର୍ଷ ଦୁବେ, ସୂର୍ଯ୍ୟାଂଶ ସେଡଗେ, ପ୍ରଭସିମରନ ସିଂ, କୁମାର କୁଶାଗ୍ର, ବିପ୍ରାଜ ନିଗମ, ଯଶ ଠାକୁର, ଯୁଦ୍ଧବୀର ସିଂ, ଅଂଶୁଲ କାମ୍ବୋଜ ଏବଂ ଅର୍ଶଦ ଖାନ୍।
ଆଇପିଏଲ୍ ୨୦୨୬ ସିଜିନ୍ରେ ବୈଭବଙ୍କ ବ୍ୟାଟ୍ରୁ ରନ୍ର ବର୍ଷା ହେଉଛି । ମାତ୍ର ୧୧ଟି ମ୍ୟାଚ୍ରୁ ୪୪୦ ରନ୍ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସୀମିତ ଓଭର ତ୍ରି-ସିରିଜ ପରେ, ଭାରତ 'ଏ' ଶ୍ରୀଲଙ୍କା 'ଏ' ବିପକ୍ଷରେ ଦୁଇଟି ବହୁ-ଦିବସୀୟ ମ୍ୟାଚ୍ ମଧ୍ୟ ଖେଳିବ ।
ବିସିସିଆଇ କହିଛି ଯେ ଲାଲ-ବଲ୍ ମ୍ୟାଚ୍ ପାଇଁ ଦଳ ପରେ ଘୋଷଣା କରାଯିବ। ଧଳା-ବଲ୍ ମ୍ୟାଚ୍ ଗୁଡ଼ିକ ଡାମ୍ବୁଲାରେ ଖେଳାଯିବ, ଯେତେବେଳେ ବହୁ-ଦିବସୀୟ ମ୍ୟାଚ୍ ଗୁଡ଼ିକ ଗାଲେରେ ଅନୁଷ୍ଠିତ ହେବ।