ଲକ୍ଷ୍ନୌ: ରୋମାଞ୍ଚକର ମୋଡ଼ରେ ଆଇପିଏଲ୍ ୨୦୨୬। ଆଜି ସିଜନର ୫୯ତମ ମୁକାବିଲାରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାୟଣ୍ଟସ (LSG) ଏବଂ ଚେନ୍ନାଇ ସୁପର କିଙ୍ଗସ (CSK। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡ ଇକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଚେନ୍ନାଇ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି।
ଚଳିତ ସିଜନରେ ଲକ୍ଷ୍ନୌ ସୁପର ଜାୟଣ୍ଟସ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡ଼ିସାରିଛି। କିନ୍ତୁ ରୁତୁରାଜ ଗାୟକୱାଡଙ୍କ ନେତୃତ୍ୱାଧୀନ ଚେନ୍ନାଇ ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଜରୁରୀ। ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ଖେଳିଥିବା CSK ୬ଟିରେ ବିଜୟ ଏବଂ ୫ଟିରେ ପରାଜୟ ସହ ୧୨ ପଏଣ୍ଟ ପାଇ ତାଲିକାରେ ରହିଛି। ଆଜିର ମ୍ୟାଚ୍ ଚେନ୍ନାଇର ଭବିଷ୍ୟତ ନିର୍ଦ୍ଧାରଣ କରିବ।
ଯଦି ଆଜି ହାରିଯାଏ CSK, ତେବେ କ’ଣ ହେବ?
ସମୀକରଣ ଅନୁଯାୟୀ, ଯଦି ଆଜି ଲକ୍ଷ୍ନୌ ବିପକ୍ଷରେ ଚେନ୍ନାଇ ପରାଜିତ ହୁଏ, ତେବେ ୧୨ଟି ମ୍ୟାଚ୍ରୁ ଦଳ ପାଖରେ ମାତ୍ର ୧୨ ପଏଣ୍ଟ ରହିବ। ଏଭଳି ସ୍ଥିତିରେ ପ୍ଲେ-ଅଫ୍ ଦୌଡ଼ରେ ବଞ୍ଚି ରହିବା ପାଇଁ ଦଳକୁ ଶେଷ ଦୁଇଟି ମ୍ୟାଚ୍କୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ, ଯାହାଦ୍ୱାରା ଦଳ ୧୬ ପଏଣ୍ଟରେ ପହଞ୍ଚିପାରିବ।
ତେବେ ଅନେକ ସମୟରେ ୧୬ ପଏଣ୍ଟ ମଧ୍ୟ ଟପ୍-୪ରେ ପହଞ୍ଚିବା ପାଇଁ ଯଥେଷ୍ଟ ହୋଇନଥାଏ। ବର୍ତ୍ତମାନ ପଏଣ୍ଟ ଟେବୁଲରେ ଆରସିବି (RCB) ଏବଂ ଗୁଜରାଟ ଟାଇଟନ୍ସ (GT) ୧୬ ପଏଣ୍ଟ ଲେଖାଏଁ ପାଇ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଯଦି ଅନ୍ୟ ଦଳଗୁଡ଼ିକ ମଧ୍ୟ ୧୬ ପଏଣ୍ଟ ପାଆନ୍ତି, ତେବେ ନେଟ୍ ରନ୍ ରେଟ୍ ହିଁ ଚେନ୍ନାଇର ଭାଗ୍ୟ ନିର୍ଦ୍ଧାରଣ କରିବ।
ଜିତିଲେ ମାର୍ଗ ହେବ ପ୍ରଶସ୍ତ
ଅନ୍ୟପଟେ, ଯଦି ଆଜି ଚେନ୍ନାଇ ବିଜୟୀ ହୁଏ, ତେବେ ପ୍ଲେ-ଅଫ୍ ଟିକେଟ୍ ପାଇଁ ଦଳର ଦାବିଦାରୀ ଅଧିକ ମଜଭୁତ ହେବ। ଆଜିର ବିଜୟ ସହ ଦଳ ୧୪ ପଏଣ୍ଟରେ ପହଞ୍ଚିବ ଏବଂ ବାକି ମ୍ୟାଚ୍ ଗୁଡ଼ିକ ଜିତିଲେ ଦଳ ସହଜରେ ୧୮ ପଏଣ୍ଟ ସହ ପ୍ଲେ-ଅଫ୍ କ୍ୱାଲିଫାଏ କରିବ। ଏବେ ଦେଖିବାକୁ ବାକି ରହିଲା, ଇକାନା ଷ୍ଟାଡିୟମର ସ୍ପିନ୍ ଅନୁକୂଳ ପିଚ୍ରେ ରୁତୁରାଜଙ୍କ ସେନା ଲକ୍ଷ୍ନୌକୁ ମାତ୍ ଦେଇ ପାରୁଛନ୍ତି କି ନାହିଁ।