କଟକ: ରାଜ୍ୟରେ ଦେଖାଦେଇଥିବା ଘୋର ତୈଳ ସଙ୍କଟ ଓ ପରିବହନ ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର କରିବା ପାଇଁ ଶେଷରେ ସମାଧାନର ବାଟ ବାହାରିଛି । କଟକ ସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରିବହନ ସେବାକୁ ସ୍ୱାଭାବିକ ରଖିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି । ଘରୋଇ ଯାତ୍ରୀବାହୀ ବସ୍ ଯେପରି ଡିଜେଲ ଅଭାବରୁ ଅଧା ବାଟରେ ଅଟକି ନ ରୁହେ, ସେଥିପାଇଁ ପ୍ରତି ଜିଲ୍ଲାରେ ୨ ରୁ ୩ଟି ପେଟ୍ରୋଲ ପମ୍ପ ବସ୍ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଏସଟିଏ କାର୍ଯ୍ୟାଳୟରେ ପରିବହନ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ତୈଳ ବିତରଣକାରୀ କମ୍ପାନୀ ଏବଂ ବସ୍ ଓ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ। ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ମହାସଂଘର ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି। ଯାତ୍ରୀବାହୀ ବସ୍ ଯେପରି ଡିଜେଲ ଅଭାବରୁ ଅଧା ବାଟରେ ଅଟକି ନରହେ, ସେଥିପାଇଁ ପ୍ରତି ଜିଲ୍ଲାରେ ୨ ରୁ ୩ଟି ପେଟ୍ରୋଲ ପମ୍ପକୁ ଚିହ୍ନଟ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ନିର୍ଦ୍ଦିଷ୍ଟ ପମ୍ପଗୁଡ଼ିକରୁ କେବଳ ବସଗୁଡିକ ହିଁ ତେଲ ନେଇପାରିବେ ।
ତେବେ ବୈଠକରେ ଉପସ୍ଥିତ ଥିବା IOCL, BPCL ଏବଂ HPCL ଭଳି ପ୍ରମୁଖ ତୈଳ କମ୍ପାନୀର ପ୍ରତିନିଧିମାନେ ରାଜ୍ୟରେ ଇନ୍ଧନର ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ବସ୍ ମାଲିକ ସଂଘର ପ୍ରସ୍ତାବରେ କମ୍ପାନୀ କର୍ତ୍ତୃପକ୍ଷ ସହମତି ପ୍ରକାଶ କରିବା ସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତୈଳ ଯୋଗାଣ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।