ଭୁବନେଶ୍ୱର: ତେଲ ସଙ୍କଟ ପାଇଁ ବଡ଼ ଅଘଟଣ ଘଟିଯାଇଥିବା ଅଭିଯୋଗ ହୋଇଛି । ଅଧାରାସ୍ତାରେ ଆମ୍ବୁଲାନ୍ସରେ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ହୋଇଛି । କାଠ ଯୋଡ଼ି ନଦୀ ଉପରେ ଏଭଳି ଅଘଟଣ ଘଟିଛି ।
କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକ ବିଷପିଇ ଗୁରୁତର ହେବାରୁ ପରିବାର ଲୋକେ କଟକ ଏସସିବି ମେଡିକାଲକୁ ଆଣିଥିଲେ । କଟକ ଏସସିବିରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ କୁ ଘରୋଇ ଆମ୍ବୁଲାନ୍ସ ରେ ସ୍ଥାନାନ୍ତରିତ କରିଥିଲେ। ଭୁବନେଶ୍ୱର ଯିବାବେଳେ କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ଆମ୍ୱୁଲାନ୍ସରେ ପେଟ୍ରୋଲ ଶେଷ ହୋଇଯାଇଥିଲା। ଫଳରେ ଅଧାବାଟରେ ଆମ୍ବୁଲାନ୍ସଟି ଅଟକି ରହିଥିଲା । ଏହା ପରେ କିଛି ସମୟ ମଧ୍ୟରେ ଅକ୍ସିଜେନ୍ ମଧ୍ୟ ଶେଷ ହୋଇଯାଇଥିଲା । ଶେଷରେ ରୋଗୀଙ୍କର ଅଧାରାସ୍ତାରେ ପ୍ରାଣ ବାୟୁ ଉଡ଼ିଯାଇଥିବା ପରିବାର ଲୋକେ ଗୁରୁତର ଅଭିଯୋଗ କରିଛନ୍ତି ।
ସେପଟେ ଆମ୍ବୁଲାନ୍ସ ମାଲିକ ତେଲ ସରିଯିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେଲ ନୁହେଁ ବରଂ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଗାଡ଼ି ବନ୍ଦ ହୋଇଯାଇଥିଲା । ଯାହା ଫଳରେ ରୋଗୀ ମୃତ୍ୟୁ ହୋଇଥିବା ସେ କହିଛନ୍ତି ।