ରାଜ୍ୟରେ ଜାରି ଥିବା ତେଲ ସଙ୍କଟ ଏବେ କେବଳ ପେଟ୍ରୋଲ ପମ୍ପର ଲମ୍ବା ଲାଇନ୍ରେ ସୀମିତ ନୁହେଁ। ଏହା ସିଧାସଳଖ ଭାବେ ହଜାର ହଜାର ଲୋକଙ୍କ ଜୀବିକା ଉପରେ ପ୍ରବବ ପକାଇବା ଆରମ୍ଭ କରିଦେଇଛି। ଟାଙ୍କିରେ ପେଟ୍ରୋଲ ମାତ୍ର ୨୦୦ ଟଙ୍କା ଓ ଡିଜେଲ ୧୦୦୦ ଟଙ୍କାରୁ ଅଧିକ ନମିଳିବାରୁ ଅଟୋ, ଟ୍ୟାକ୍ସି, ଡେଲିଭରି ଓ ଆମ୍ବୁଲାନ୍ସ ସେବା ଧୀରେଧୀରେ ଅଚଳ ହେବାକୁ ବସିଛି।
ଭୁବନେଶ୍ୱରର ରାସ୍ତାରେ ଚାଲୁଥିବା ହଜାର ହଜାର ଟ୍ୟାକ୍ସି ଓ ଅଟୋ ଚାଳକ ଏବେ ଚିନ୍ତାରେ। “ଗାଡି ଚଳାଇବୁ କେମିତି, ଘର ଚଳିବ କେମିତି?” ଏପରି ଅନେକ ପ୍ରଶ୍ନ ଏବେ ପ୍ରତ୍ୟେକ ଡ୍ରାଇଭରଙ୍କ ମୁହଁରେ। ଦିନକୁ ୫୦୦ କିଲୋମିଟର ଯାଏ ଗାଡି ଚଳାଉଥିବା ଡ୍ରାଇଭରମାନେ ଏବେ ପେଟ୍ରୋଲ ପାଇଁ ପମ୍ପରୁ ପମ୍ପ ଘୁରି ବୁଲୁଛନ୍ତି। ଅନେକେ କହୁଛନ୍ତି, ଏଭଳି ସ୍ଥିତି ରହିଲେ ଗାଡି ଘରେ ରଖିବା ଛଡ଼ା ଆଉ ଉପାୟ ନାହିଁ।
ତେବେ ତୈଳ ସଙ୍କଟକୁ ନେଇ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଅନଲାଇନ୍ ଡେଲିଭରି କର୍ମଚାରୀ। ସ୍ୱିଗି, ଜୋମାଟୋ ଭଳି ସଂସ୍ଥାର ଯୁବକମାନେ କହୁଛନ୍ତି, “୧୦୦ ଟଙ୍କାର ତେଲରେ ସାରାଦିନ କାମ କେମିତି କରିବୁ?” ଟାଙ୍କି ଆଗରେ ଘଣ୍ଟାଘଣ୍ଟା ଲାଇନ୍ରେ ଠିଆ ହେବା ପରେ ମଧ୍ୟ ପର୍ଯ୍ୟାପ୍ତ ତେଲ ମିଳୁନଥିବାରୁ ତାଙ୍କ ରୋଜଗାର ଭୁଶୁଡିବାକୁ ବସିଛି। ଯେଉଁମାନେ ଇଭି ବାଇକ୍ ବ୍ୟବହାର କରୁଛନ୍ତି ସେମାନେ ରକ୍ଷା ପାଇଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ଦୟନୀୟ ହୋଇପଡିଛି।
ଅନ୍ୟପଟେ ଘରୋଇ ଆମ୍ବୁଲାନ୍ସ ସେବା ମଧ୍ୟ ତେଲ ଅଭାବରେ ଅସ୍ଥିର। ରୋଗୀଙ୍କୁ ଦୂର ସ୍ଥାନକୁ ନେବାକୁ ଅନେକ ଆମ୍ବୁଲାନ୍ସ ଏବେ ରାଜି ହେଉନାହାନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି। ପର୍ଯ୍ୟଟକ ଗାଡି ନପାଇ ଅସୁବିଧାରେ ପଡ଼ୁଥିବା ବେଳେ ଟ୍ରାଭେଲ ଏଜେନ୍ସିମାନେ ବଡ଼ କ୍ଷତିର ଆଶଙ୍କା କରୁଛନ୍ତି।
ତେଲ ସଙ୍କଟ ଏବେ କେବଳ ଇନ୍ଧନର ଅଭାବ ନୁହେଁ, ବରଂ ହଜାର ହଜାର ପରିବାରର ଜୀବିକା ଉପରେ ଘନ ଅନ୍ଧକାରର ଛାୟା ପାଲଟିଛି। ଯଦି ଶୀଘ୍ର ସମାଧାନ ନମିଳେ, ତେବେ ଏହି ତୈଳ ସଙ୍କଟ ଆଗାମୀ ଦିନରେ ରାଜ୍ୟର ଅର୍ଥନୀତି ଓ ଜନଜୀବନକୁ ଆହୁରି ଭୟଙ୍କର ପ୍ରଭାବିତ କରିପାରେ।