କେନ୍ଦ୍ରାପଡ଼ା: ରାଜ୍ୟ ପୋଲିସର ବେପରୁଆ ମନୋବୃତ୍ତି ପାଇଁ ହଇରାଣ ହେଉଛନ୍ତି ସାଧାରଣ ଜନତା । କେଉଁଠି ପୋଲିସ ଉପସ୍ଥିତିରେ ଜଣଙ୍କ ଜୀବନ ଯାଉଛି ତ ଆଉ କେଉଁଠି ଭୁଲ ଅଭିଯୁକ୍ତ ଗିରଫ କରି ନେଉଛି ପୋଲିସ । ନୟାଗଡ଼ ପରେ କେନ୍ଦ୍ରାପଡ଼ାରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ସଦର ଥାନା ସାରଙ୍ଗ ଗ୍ରାମରୁ ଜଣେ ନିର୍ଦ୍ଦୋଷକୁ ଉଠାଇ ଆଣିଛି ପୋଲିସ । ଶେଷରେ ଭୁଲ ଜାଣିବା ପରେ ଉକ୍ତ ବ୍ୟକ୍ତିଙ୍କୁ ୧୨ ଘଣ୍ଟା ପରେ ଛାଡ଼ିଛି ପୋଲିସ ।
ସାରଙ୍ଗ ଗ୍ରାମରେ ମଧୁସୂଦନ ପ୍ରଧାନଙ୍କ ପୁଅ ହୃଷିକେଶ ପ୍ରଧାନଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଥିଲା । ରାତି ଅଧରେ ପୋଲିସ ପ୍ରଫୁଲ୍ଲ ପ୍ରଧାନଙ୍କ ଘର କବାଟ ବାଡ଼େଇଥିଲା । କବାଟ ଖୋଲିବା ମାତ୍ରେ ପ୍ରଫୁଲ୍ଲଙ୍କ ପୁଅ ହୃଷିକେଶକୁ ଉଠାଇ ନେଇଥିଲା ପୋଲିସ । ଶେଷରେ ପଚରାଉଚରା ପରେ ହୃଷିକେଶଙ୍କୁ ଛାଡ଼ିଥିଲା ପୋଲିସ ।
ସେପଟେ ହୃଷିକେଶ ଫେରିବା ପରେ ମାନସିକ ସ୍ତରରେ ଆଘାତ ପାଇଥିବା କହିଛନ୍ତି । ନିଜ ସାହି ପଡ଼ିଶାରେ ସେ ବହୁତ ଲଜ୍ଜିତ ହୋଇଥିଲା କହିଛନ୍ତି ହୃଷିକେଶ । ତାଙ୍କ ସହିତ ଏହା ପ୍ରଥମ ଘଟଣା ନୁହେଁ ସମାନ ନାମ ଯୋଗୁଁ ପୂର୍ବରୁ ତିନି ଚାରିଥର ଏଭଳି ଘଟିଥିବା ସେ କହିଛନ୍ତି । ସେପଟେ ମାମଲାର ଯାଞ୍ଚ କରାଯିବ ବୋଲି କହିଛନ୍ତି ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ । ଏସଡିପିଓ କହିଛନ୍ତି ଯେ ସେ ସଠିକ୍ ପ୍ରମାଣ ପତ୍ର ଦେଇ ପାରି ନଥିଲେ । ପରିବାର ଲୋକେ ସକାଳେ ଥାନାରେ ପହଁଚି ଆବଶ୍ୟକୀୟ କାଗଜ ପତ୍ର ଦେବା ପରେ ପୋଲିସ ଛାଡ଼ିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ ସାହୁଙ୍କୁ ଅତି ବୀଭତ୍ସ ଭାବେ ପଥର ମାଫିଆମାନେ ହତ୍ୟା କରିଥିଲେ । ମାଙ୍କଡ଼ା ପଥର ଚୋରା ଚାଲାଣକୁ ବିରୋଧ କରିବା ସମୟରେ ଅଭିଯୁକ୍ତମାନେ ଅଜିତଙ୍କ ଦୁଇ ହାତ କାଟି ଦେବା ସହ ଶରୀରର ବିଭିନ୍ନ ସ୍ଥାନରେ ମାରାତ୍ମକ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ କୋମଣ୍ଡ ଅଞ୍ଚଳର ଶ୍ରୀଧର ସାହୁଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା। ପରେ ଭୁଲ ବଶତଃ ଶ୍ରୀଧରଙ୍କୁ ଗିରଫ କରାଯାଇଥିବା ପୋଲିସ ଜାଣିବା ପରେ ତାଙ୍କୁ ମୁକ୍ତ କରିଛି ।
ଅନ୍ୟପକ୍ଷେ ଭୁବନେଶ୍ୱର ବାଲିଅନ୍ତା ଘଟଣାରେ ମଧ୍ୟ ପୋଲିସ ଖାମଖିଆଲ ମନୋଭାବ ସାମ୍ନାକୁ ଆସିଥିଲା । ପୋଲିସ ଉପସ୍ଥିତି ସ୍ଥାନୀୟ ଲୋକେ ସୌମ୍ୟରଞ୍ଜନଙ୍କୁ ନିସ୍ତୁକ ମାଡ଼ ମାରୁଥିବାବେଳେ ପୋଲିସ ନିରବଦ୍ରଷ୍ଟା ସାଜିଥିଲା । ଶେଷରେ ସୌମ୍ୟଙ୍କର ମୃତ୍ୟୁ ହୋଇଯାଇଥିଲା ।