ଅନୁଗୁଳରେ ପୁଣି ହାତୀ ଆତଙ୍କ। ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା। ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନ ଅନ୍ତର୍ଗତ କୁସୁମପାଟ ଗାଁରେ ଜଣେ ବୃଦ୍ଧାଙ୍କୁ ଦଳି ମାରିଦେଇଛି ଜଙ୍ଗଲୀ ହାତୀ। ମୃତକ ହେଉଛନ୍ତି ପ୍ରମିଳା ସାହୁ।
ସୂଚନା ଅନୁସାରେ, ପ୍ରମିଳା ସକାଳୁ ଘର ନିକଟରେ ଥିବା ବଗିଚାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ତେବେ ସେଠାରେ ପୂର୍ବରୁ ଏକ ଜଙ୍ଗଲୀ ହାତୀ ଘୁରିବୁଲୁଥିବା କଥା ସେ ଜାଣିନଥିଲେ। ହଠାତ୍ ହାତୀଟି ତାଙ୍କ ସମ୍ମୁଖରେ ପହଞ୍ଚି ଆକ୍ରମଣ କରିଥିଲା। ରାଗିଯାଇଥିବା ହାତୀ ପ୍ରମିଳାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିବା କୁହାଯାଉଛି।ବୃଦ୍ଧାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ପରେ ବନ ବିଭାଗର ସହଯୋଗରେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରମିଳାଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ କୁସୁମପାଟ ଗାଁରେ ଶୋକର ଛାୟା ଖେଳିଯାଇଛି। ଅନୁଗୁଳ ଅଞ୍ଚଳରେ ଲଗାତାର ହାତୀ ଆକ୍ରମଣ ଘଟୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଚଳାଚଳ ଅଞ୍ଚଳରେ ସତର୍କତା ବଢ଼ାଇବା ଓ ଲୋକଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।