ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ମୋହନ ସରକାର। ସରକାରର ଦୁଇ ବର୍ଷ ପୂର୍ତ୍ତିକୁ ଆଗରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଲୋକସେବା ଭବନରେ ସକାଳ ସାଢ଼େ ୧୧ଟାରେ ହେବାକୁ ଥିବା ଏହି ବୈଠକକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଳରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏହି ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହି ନିଜ-ନିଜ ବିଭାଗର କାର୍ଯ୍ୟଦକ୍ଷତା, ଯୋଜନାର ସଫଳତା ଓ ଆଗାମୀ କାର୍ଯ୍ୟପଥ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ରିପୋର୍ଟ ରଖିବେ। ଗତ ଦୁଇ ବର୍ଷରେ ସରକାର କେତେ ଯୋଜନାକୁ ଲୋକଙ୍କ ଘରେ ପହଞ୍ଚାଇପାରିଛି ଏବଂ କେଉଁଠି ଅଧିକ ଗତି ଆଣିବା ଦରକାର, ସେନେଇ ଗଭୀର ମନ୍ଥନ ହେବାର ସମ୍ଭାବନା ରହିଛି।
ସୂତ୍ର ଅନୁଯାୟୀ, ଏହି ବୈଠକ କେବଳ ସଫଳତାର ସମୀକ୍ଷା ନୁହେଁ, ଲୋକଙ୍କ ସହ ସରକାରଙ୍କ ସିଧାସଳଖ ଯୋଗାଯୋଗ କିପରି ଆହୁରି ମଜବୁତ କରାଯିବ, ସେଥିପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହେବ। ଆଗାମୀ ଉତ୍ସବ, ଜନସମ୍ପର୍କ କାର୍ଯ୍ୟକ୍ରମ ଓ ନୂଆ ଘୋଷଣା ନେଇ ମଧ୍ୟ ବଡ଼ ନିଷ୍ପତ୍ତି ହୋଇପାରେ।
ସରକାରର ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ହେଉଥିବା ଏହି ବୈଠକକୁ ମୋହନ ସରକାରଙ୍କ ଆଗାମୀ ରୋଡମ୍ୟାପର ଟ୍ରେଲର ବୋଲି ମଧ୍ୟ ଦେଖାଯାଉଛି।