ନୂଆଦିଲ୍ଲୀ: ସାରା ବିଶ୍ୱର ନଜର ଏବେ ଭାରତ ଏବଂ ଚୀନ୍ ଉପରେ। ବିଶ୍ୱ ସଂକଟ ମଧ୍ୟରେ ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେଉଛି ବ୍ରିକ୍ସ (BRICS) ଦେଶର ପ୍ରତିନିଧିମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଅନ୍ୟପଟେ ବେଜିଂରେ ଦୁଇ ମହାଶକ୍ତି ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଛି ମହାମିଳନ। ଦୀର୍ଘ ୯ ବର୍ଷ ପରେ ଡୋନାଲ୍ଡ ଟ୍ରମ୍ପ ଚୀନ୍ ଗସ୍ତ କରି ଶି ଜିନପିଙ୍ଗଙ୍କୁ ଭେଟିଥିବା ବେଳେ, ଏହାର ପ୍ରଭାବ ସମଗ୍ର ବିଶ୍ୱର ଭୂ-ରାଜନୀତି ଉପରେ ପଡ଼ିବାକୁ ଯାଉଛି।
ଜୟଶଙ୍କର କରିବେ ଅଧ୍ୟକ୍ଷତା
ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ଭାରତ ଏହି ପ୍ରସ୍ତୁତି ବୈଠକର ଆୟୋଜନ କରୁଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏବଂ ଇରାନର ବୈଦେଶିକ ମନ୍ତ୍ରୀ ଆରାଗଚିଙ୍କ ସମେତ ଅନେକ ପ୍ରଭାବଶାଳୀ ନେତା ଯୋଗ ଦେଉଛନ୍ତି। ଗୁରୁବାର ଅପରାହ୍ନରେ ପିଏମ୍ ମୋଦୀ ଏକ ସଂଯୁକ୍ତ କନଫରେନ୍ସ କଲ୍ରେ ସାମିଲ ହେବେ।
କ’ଣ ରହିଛି ଏଜେଣ୍ଡା?
ଏହି ବୈଠକରେ କେବଳ ବ୍ୟାପାର କିମ୍ବା ବାଣିଜ୍ୟ ନୁହେଁ, ବରଂ ବିଶ୍ୱର ଜଳୁଥିବା ସମସ୍ୟା ଉପରେ ଆଲୋଚନା ହେବ। ପ୍ରାୟ ୭୬ ଦିନ ଧରି ଚାଲିଥିବା ଇରାନ ଯୁଦ୍ଧକୁ ରୋକିବା ପାଇଁ ଏହି ମଞ୍ଚରେ ବଡ଼ ନିଷ୍ପତ୍ତି ନିଆଯାଇପାରେ। ମଜବୁତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ସଂକ୍ରାମକ ରୋଗର ମୁକାବିଲା ପାଇଁ ବ୍ରିକ୍ସ ଦେଶମାନେ ରଣନୀତି ପ୍ରସ୍ତୁତ କରିବେ।ପଶ୍ଚିମ ଏସିଆର ଅସ୍ଥିରତା ଯୋଗୁଁ ବିଶ୍ୱର ଶକ୍ତି ଯୋଗାଣ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଗୁରୁତ୍ୱ ଦିଆଯିବ।
ଭାରତ ପାଇଁ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ ?
ଭାରତ ଏବେ ଏକ ଦୋଛକିରେ ରହିଛି। ଗୋଟିଏ ପଟେ ଆମେରିକା ସହ ବଡ଼ ବ୍ୟାପାର ଚୁକ୍ତି ଅନ୍ତିମ ପର୍ଯ୍ୟାୟରେ ଥିବା ବେଳେ ଅନ୍ୟପଟେ ଇରାନ ସହ ବନ୍ଧୁତା ବଜାୟ ରଖିବା ଭାରତ ପାଇଁ ଜରୁରୀ। ବିଶେଷ କରି ଇରାନର ଚାବାହାର ବନ୍ଦର (Chabahar Port) ପ୍ରକଳ୍ପ ଭାରତ ପାଇଁ ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆକୁ ବାଣିଜ୍ୟିକ ମାର୍ଗ ଯୋଗାଇଥାଏ।
ରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ବ୍ରିକ୍ସ ଏବେ ‘ଗ୍ଲୋବାଲ ସାଉଥ୍’ର ସ୍ୱର ପାଲଟିଛି। ଯଦିଓ ପୂର୍ବ ବୈଠକରେ ଯୁଦ୍ଧ ପ୍ରସଙ୍ଗରେ ସମସ୍ତ ଦେଶ ଏକମତ ହୋଇପାରିନଥିଲେ, କିନ୍ତୁ ଦିଲ୍ଲୀରେ ଚାଲିଥିବା ଏହି ଆଲୋଚନା ଆଗାମୀ ସମୟରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବଡ଼ ମଞ୍ଚ ସାଜିବ। ଜିଂରେ ଟ୍ରମ୍ପ-ଜିନପିଙ୍ଗଙ୍କ ମଧ୍ୟରେ କି ବୁଝାମଣା ହେଉଛି ଏବଂ ଦିଲ୍ଲୀ ବୈଠକରୁ କି ନିଷ୍କର୍ସ ବାହାରୁଛି, ତାହା ହିଁ ଆଗାମୀ ଦିନରେ ନୂଆ ବିଶ୍ୱ ବ୍ୟବସ୍ଥାର ରୂପରେଖ ସ୍ଥିର କରିବ।