ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ଦାୟିତ୍ୱ ଗ୍ରହଣ କରିବାର ଦିନକ ପରେ ବିଜେପି ଇସ୍ତାହାର ମୁତାବକ ଅବୈଧ ଅନୁପ୍ରବେଶ ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସୀମାରେ ତାରବାଡ଼ ନିର୍ମାଣ ପାଇଁ ନିଆଯାଇଥିବା ନିଷ୍ପତ୍ତି ବାଂଲାଦେଶର ନିଦ ହଜାଇ ଦେଇଛି ।
ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଏମ୍. ହୁମାୟୁନ୍ କବୀର ଭାରତ ଉପରେ ଆକ୍ରମଣାତ୍ମକ ମନ୍ତବ୍ୟ ଦେଇଚନ୍ତି । ସୋମବାର ସନ୍ଧ୍ୟାରେ ସାମ୍ବାଦିକଙ୍କ ସହିତ ଆଲୋଚନା କରି ହୁମାୟୁନ କହିଛନ୍ତି ଯେ ଯଦି ସୀମାରେ ହତ୍ୟା ଜାରି ରୁହେ ତେବେ ସେ ମଧ୍ୟ ଚୁପ ବସିବେ ନାହିଁ ବୋଲି ଧମକ ଦେଇଛନ୍ତି । ବାଂଲାଦେଶ ଜନତା କିମ୍ବା ସରକାର ସୀମାର ତାରବାଡ଼ ନିର୍ମାଣକୁ ନେଇ ଡରି ନାହିଁ । କିନ୍ତୁ ରାଷ୍ଟ୍ର ହିତ ପାଇଁ ଆବଶ୍ୟକ ସ୍ଥଳରେ ଆମ ସରକାର ତାଙ୍କର ମନ୍ତବ୍ୟ ରଖିବେ । ଯଦି ଭାରତ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ରଖିବାକୁ ଚାହୁଁଚି ତେବେ ସୀମା ସୁରକ୍ଷାରେ ଅଧିକ ମାନବୀୟତା ବ୍ୟବହାର ଦେଖାଇବାକୁ ପଡ଼ିବ ।
ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ଉପରେ ହୁମାୟୁନ କହିଛନ୍ତି ଯେ ନିର୍ବାଚନୀ ବୟାନବାଜୀ ଏବଂ ଶାସନ ଦୁଇଟି ଭିନ୍ନ ଭିନ୍ନ ପ୍ରସଙ୍ଗ । ନୂତନ ବେଙ୍ଗଲ ସରକାର ରାଜନୈତିକ ବୟାନବାଜୀକୁ ସରକାରୀ ନୀତିରେ ପରିଣତ କରୁଛି କି ନାହିଁ ତାହା ଦେଖାଯିବ ।
ହୁମାୟୁନ ଭାରତ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ଅନୁପ୍ରବେଶ ସମୟରେ ଗୁଳିରେ ଲୋକ ପ୍ରାଣ ହରାଉଛନ୍ତି । ଯଦି ସୀମା ପାର୍ ହତ୍ୟାକାଣ୍ଡ ଜାରି ରୁହେ ତେବେ ବାଂଲା ସରକାର ଚୁପ ବସିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ସୀମାର ସ୍ଥିତି ପୂର୍ବ ଭଳ ନ ଥିବା ସେ କହିଛନ୍ତି । ଦୁଇ ଦେଶ ମଧ୍ୟରେ ଶାନ୍ତି, ସ୍ଥିରତା ଏବଂ ଦ୍ୱିପାକ୍ଷିକ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତକାଲି ଶୁଭେନ୍ଦୁ ସରକାରଙ୍କ ପ୍ରଥମ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା । ବୈଠକରେ ୬ ବଡ଼ ନିଷ୍ପତ୍ତି ଉପରେ ମୋହର ବାଜିଥିଲା । ତନ୍ମମଧ୍ୟରୁ ମୁଖ୍ୟ ଥିଲା ଅବୈଧ ଅନୁପ୍ରବେଶ ଉପରେ କଟକଣା । ସୀମାରେ ତାରବାଡ଼ ତିଆରି କରିବାକୁ ବିଏସଏଫକୁ ଜମି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଆଗାମୀ ୪୫ ଦିନ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ।