ଭୁବନେଶ୍ୱର: ଆସନ୍ତା ମେ’ ୨୦ ତାରିଖରେ ସାରା ଓଡ଼ିଶାରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ। ଅନଲାଇନ୍ରେ ଔଷଧ ବିକ୍ରିକୁ ବିରୋଧ କରି ଏହି ବଡ଼ ନିଷ୍ପତ୍ତି ନେଇଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ (UCDA)। ଏହି ବନ୍ଦ ଡାକରା ପରେ ରାଜ୍ୟରେ ଲକ୍ଷାଧିକ ରୋଗୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଆସୋସିଏସନ୍ର ଅଭିଯୋଗ ଅନୁସାରେ, ଡ୍ରଗ୍ ଆଣ୍ଡ କସମେଟିକ ନିୟମ ଅନୁଯାୟୀ ଅନଲାଇନ୍ରେ ଔଷଧ ବିକ୍ରି ପାଇଁ ସ୍ପଷ୍ଟ ପ୍ରାବଧାନ ନାହିଁ। କୋଭିଡ୍ ସମୟରେ ଜରୁରୀ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଅସ୍ଥାୟୀ ଭାବେ ଅନଲାଇନ୍ରେ ଔଷଧ ବିକ୍ରିକୁ ଅନୁମତି ଦେଇଥିଲେ। କିନ୍ତୁ ପରିସ୍ଥିତି ସାମାନ୍ୟ ହୋଇଯାଇଥିଲେ ମଧ୍ୟ ସେହି ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇନଥିବାରୁ ରାଜ୍ୟର ପ୍ରାୟ ୩୦ ହଜାର ଔଷଧ ବ୍ୟବସାୟୀ ପ୍ରଭାବିତ ହେଉଥିବା ଆସୋସିଏସନ୍ କହିଛି।
UCDA ଅଭିଯୋଗ କରିଛି ଯେ, ଅନଲାଇନ୍ରେ ରିହାତି ଦରରେ ଔଷଧ ବିକ୍ରି ହେଉଥିବାବେଳେ ତାହାର ଗୁଣବତ୍ତା ଓ ସୁରକ୍ଷାକୁ ଅଣଦେଖା କରାଯାଉଛି। ଏପରିକି ଅନେକ ଔଷଧ ଡାକ୍ତରୀ ପ୍ରେସକ୍ରିପସନ୍ ବିନା ବିକ୍ରି ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଆସୋସିଏସନ୍ କହିଛି, ଏହା କେବଳ ବ୍ୟବସାୟର ପ୍ରଶ୍ନ ନୁହେଁ, ବରଂ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।