ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ। ରେଜଲ୍ଟ ଆସିବ ପରେ ସଫଳତାର ଖୁସିରେ ଭାସୁଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ସୋସିଆଲ ମିଡିଆ ‘X’ ରେ ପୋଷ୍ଟ କରି କହିଛନ୍ତି ଯେ, ପରୀକ୍ଷାର ଫଳାଫଳ ଯାହା ହେଇଥାଉ, ପ୍ରତ୍ୟେକ ଛାତ୍ରଛାତ୍ରୀ ଆତ୍ମବିଶ୍ୱାସ ସହ ଜୀବନର ପ୍ରତ୍ୟେକ ଆହ୍ୱାନକୁ ସାମ୍ନା କରି ଆଗକୁ ବଢ଼ିବା ଦରକାର।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ଏହି ପ୍ରତିଭାବାନ ଯୁବପିଢ଼ି ଆସନ୍ତାକାଲିର ସମୃଦ୍ଧ ଓଡ଼ିଶା ଗଢ଼ିବାର ସାରଥୀ ହେବେ। ସେ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଓ ପ୍ରଗତିଶୀଳ ଭବିଷ୍ୟତ ପାଇଁ କାମନା କରିଛନ୍ତି।
ଏଥର ସିବିଏସଇ ଦ୍ୱାଦଶ ଫଳାଫଳରେ ମୋଟ ପାସ୍ ହାର ୮୫.୨୦ ପ୍ରତିଶତ ରହିଛି। ବିଶେଷ କଥା ହେଲା, ଛାତ୍ରୀମାନେ ପୁଣିଥରେ ଛାତ୍ରମାନଙ୍କଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୮୮.୮୫ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୨.୧୩ ପ୍ରତିଶତ ରହିଛି। ଅର୍ଥାତ୍ ପାସ୍ ହାରରେ ଝିଅମାନେ ପୁଅମାନଙ୍କଠାରୁ ୬.୭୩ ପ୍ରତିଶତ ଆଗରେ ରହିଛନ୍ତି।