ଭୁବନେଶ୍ୱର: "ପେଟ୍ରୋଲ୍-ଡିଜେଲ୍ ଛାଡନ୍ତୁ, ଇଭିକୁ ଆପଣାନ୍ତୁ” ଏହି ସନ୍ଦେଶ ସହ ରାଜ୍ୟବାସୀଙ୍କୁ ବଡ଼ ଆହ୍ୱାନ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ପେଟ୍ରୋଲ୍ ଓ ଡିଜେଲ୍ ବ୍ୟବହାର କମାଇ ଅଧିକରୁ ଅଧିକ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର କରିବାକୁ ସେ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଇଭି ବ୍ୟବହାର ଓ ତେଲ ସଞ୍ଚୟ ପାଇଁ ଆହ୍ୱାନ କରିବା ପରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଛି। ମନ୍ତ୍ରୀ କହିଛନ୍ତି, ପରିବେଶ ସୁରକ୍ଷା ସହିତ ଆର୍ଥିକ ସଞ୍ଚୟ ପାଇଁ ଇଭି ହିଁ ଭବିଷ୍ୟତ। ସେଥିପାଇଁ ସରକାର ଇଭି ସବସିଡିର ସମୟସୀମାକୁ ୨୦୨୮ ପର୍ଯ୍ୟନ୍ତ ବଢ଼ାଇଛନ୍ତି।
କେବଳ ଉପଦେଶ ନୁହେଁ, ନିଜ ଜୀବନରେ ମଧ୍ୟ ସରଳତା ଆଣିବାକୁ ଚେଷ୍ଟା କରୁଛନ୍ତି ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନିଜ କାରକ୍ୟାଡରେ ଚାଲୁଥିବା ଗାଡ଼ି ସଂଖ୍ୟାକୁ ୫୦ ପ୍ରତିଶତ କମାଇଦେଇଥିବା ବେଳେ, ଏହାକୁ ଏକ “ବଡ଼ ସନ୍ଦେଶ” ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଏସପିଜି ପ୍ରୋଟୋକଲ୍କୁ ଅକ୍ଷୁଣ୍ଣ ରଖି ସୁରକ୍ଷା ଯାନବାହାନ ସଂଖ୍ୟା ହ୍ରାସ କରାଯାଇଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ସେହିପରି ନିଜେ ମଧ୍ୟ ସାଧାରଣ ଲୋକଙ୍କ ଭଳି ସରକାରୀ ବସ୍ରେ ଯାତାୟାତ କରିବେ ବୋଲି ଘୋଷଣା କରିଛନ୍ତି ମନ୍ତ୍ରୀ। ତିନୋଟି ପାଇଲଟ୍ ଗାଡ଼ିରୁ ଏବେ କେବଳ ଗୋଟିଏ ବ୍ୟବହାର କରିବେ ବୋଲି କହି ସେ ଦେଇଛନ୍ତି “ସରଳ ଜୀବନ, ସଚେତନ ଯାତାୟାତ”ର ନୂଆ ବାର୍ତ୍ତା।