ରାଷ୍ଟ୍ରୀୟ ମେଡିକାଲ ପ୍ରବେଶ ପରୀକ୍ଷା ଅର୍ଥାତ୍ NEET-UG ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ଏବେ ପୁଣେ ପର୍ଯ୍ୟନ୍ତ ପହଞ୍ଚିଛି । ଏହି ମାମଲାରେ ପୁଣେର ଜଣେ ମହିଳାଙ୍କୁ ହେପାଜତକୁ ନିଆଯାଇଥିବା ସୂଚନା ସାମ୍ନାକୁ ଆସିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏବଂ ପୁଣେ ପୋଲିସର କ୍ରାଇମ ବ୍ରାଞ୍ଚ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ପଦକ୍ଷେପ ନେଇଛନ୍ତି । ହେପାଜତକୁ ନିଆଯାଇଥିବା ମହିଳାଙ୍କ ନାମ ମନୀଷା ୱାଘମାରେ ବୋଲି କୁହାଯାଇଛି । ତାଙ୍କୁ ବୁଧବାର ସକାଳେ ପୁଣେର ବିବୱେୱାଡ଼ି ଅଞ୍ଚଳରୁ ହେପାଜତକୁ ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ବାନ୍ଧିଲା CBI ।
ପୋଲିସ ସୂତ୍ର ଅନୁଯାୟୀ, NEET ପ୍ରଶ୍ନପତ୍ର ଲିକ୍ ମାମଲାରେ ସେ ହେଉଛନ୍ତି ତୃତୀୟ ସନ୍ଦିଗ୍ଧ ଅଭିଯୁକ୍ତ । ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହି ମାମଲାରେ ସାରା ଦେଶରେ ବ୍ୟାପିଥିବା ଏକ ବଡ଼ ରାକେଟ୍ ସକ୍ରିୟ ଥିବା ସନ୍ଦେହ କରୁଛନ୍ତି । ଏହି ସମୟରେ, ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେସନ ଗ୍ରୁପ୍ (SOG) ଦ୍ୱାରା ସାମ୍ନାକୁ ଅଣାଯାଇଥିବା ସୂଚନା ପରେ CBI ସମ୍ପୂର୍ଣ୍ଣ ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଛି । ତଦନ୍ତରେ ଗେସ୍ ପେପର (Guess Paper) ନାମରେ ଲକ୍ଷ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ବିକ୍ରି କରିବା ଅଭିଯୋଗ ସାମ୍ନାକୁ ଆସିଛି ।
ଅନେକ ରାଜ୍ୟରେ ବ୍ୟାପିଛି ରାକେଟ୍
ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଏହି ରାକେଟ୍ର ଲିଙ୍କ୍ ଥିବା ଆଶଙ୍କା କରାଯାଉଛି । ଏହି ଦୁର୍ନୀତି କାରଣରୁ NEET-UG ୨୦୨୬ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ଫଳରେ ସାରା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଦ୍ୱନ୍ଦ୍ୱର ବାତାବରଣ ସୃଷ୍ଟି ହୋଇଛି । ଯଦିଓ NTA ଏହି ପରୀକ୍ଷାକୁ ପୁଣିଥରେ କରିବାକୁ ଘୋଷଣା କରିସାରିଛି, କିନ୍ତୁ ବାରମ୍ବାର ହେଉଥିବା ଏହି ଅନିୟମିତତା ପରେ NTA ଏବେ ସନ୍ଦେହ ଘେରକୁ ଆସିଛି ।
NTA କୁ ହଟାଇବା ପାଇଁ ଉଠିଲା ଦାବି
NEET-UG ପ୍ରଶ୍ନପତ୍ର ଲିକ୍ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । NEET ପରୀକ୍ଷା କରାଉଥିବା ସଂସ୍ଥା NTA କୁ ହଟାଇବା ପାଇଁ ଦାବି ଜୋର ଧରିଛି । ଦାୟର କରାଯାଇଥିବା ଆବେଦନରେ NTA କୁ ହଟାଇ ନୂତନ ସଂସ୍ଥା ଗଠନ କରିବାକୁ ଦାବି କରାଯାଇଛି । ଏଥିସହ CBI ପାଖରୁ ଚାରି ସପ୍ତାହ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ମାଗିବାକୁ ମଧ୍ୟ ଦାବି ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟରେ ଏହି ଆବେଦନ 'ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ' (FAIMA) ପକ୍ଷରୁ ଦାୟର କରାଯାଇଛି । ଆବେଦନକାରୀଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, NTA କୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦିଆଯାଉ କିମ୍ବା ସେଥିରେ ବଡ଼ ଧରଣର ସୁଧାର କରାଯାଉ, ଯାହାଦ୍ୱାରା ଏକ ନୂତନ, ଶକ୍ତିଶାଳୀ, ହାଇ-ଟେକ୍ ଏବଂ ସ୍ୱାଧୀନ ସଂସ୍ଥା ଗଠନ କରାଯାଇପାରିବ ।