ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶର ଲୋକଙ୍କୁ ଇନ୍ଧନ ବଞ୍ଚାଇବା ପାଇଁ ଅପିଲ୍ କରିଥିଲେ । ଯାହା ପରେ ପିଏମ୍ ମୋଦୀ ନିଜେ ମଧ୍ୟ ନିଜ କାରକ୍ୟାଡରେ ଗାଡ଼ିଗୁଡ଼ିକର ସଂଖ୍ୟା ହ୍ରାସ କରିଦେଇଛନ୍ତି । ପିଏମ୍ ମୋଦୀ ନିଜେ ବୁଧବାର ଦିନ କ୍ୟାବିନେଟ୍ ବୈଠକରେ ମାତ୍ର ଦୁଇଟି ଗାଡ଼ି ସହିତ ନିଜ ଘରୁ ଅଫିସ୍ ପହଞ୍ଚିଛନ୍ତି । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ପିଏମ୍ ମୋଦୀଙ୍କ କାରକ୍ୟାଡରେ କେବଳ ଦୁଇଟି ଗାଡ଼ି ଯାଉଥିବା ଦେଖାଯାଉଛି ।
ଅନ୍ୟପଟେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇନ୍ଧନ ବଞ୍ଚାଇବା ଅପିଲ୍ ଉପରେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିଜ ସୁରକ୍ଷା କାରକ୍ୟାଡରେ ଲାଗିଥିବା ଗାଡ଼ିଗୁଡ଼ିକୁ ୫୦ ପ୍ରତିଶତ କମାଇ ଦେଇଛନ୍ତି । ପିଏମ୍ ସୁରକ୍ଷାକୁ ନେଇ ପ୍ରସ୍ତୁତ ନିୟମାବଳୀ 'ବ୍ଲୁ ବୁକ୍' ଅନୁଯାୟୀ, ସାଧାରଣ ଭାବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କାରକ୍ୟାଡରେ ୧୪ ରୁ ୧୭ଟି ଗାଡ଼ି ରହିଥାଏ । ଏହା ବ୍ୟତୀତ ସୁରକ୍ଷା ଆଧାରରେ ରାଜ୍ୟ ପୋଲିସ ସୁରକ୍ଷା ବଳର ଯବାନ ଏବଂ ଗାଡ଼ି ସେମାନଙ୍କ ସହ କାରକ୍ୟାଡରେ ମୁତୟନ ରହିଥାନ୍ତି । ଏହିପରି ଭାବେ କେବେ କେବେ ପିଏମ୍ଙ୍କ କାରକ୍ୟାଡରେ ଗାଡ଼ିଗୁଡ଼ିକର ସଂଖ୍ୟା ୩୦ ରୁ ୪୦ ପର୍ଯ୍ୟନ୍ତ ହୋଇଯାଏ ।
ଶାହ ଏବଂ ରାଜନାଥ ମଧ୍ୟ ସୁରକ୍ଷା କାରକ୍ୟାଡରେ ଗାଡ଼ି ସଂଖ୍ୟା କମାଇଲେ
ଅନ୍ୟପଟେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ Z+ ସୁରକ୍ଷା ପ୍ରାପ୍ତ ବ୍ୟକ୍ତି । ତାଙ୍କ ସହ ୧୧ଟି ଗାଡ଼ିର କାରକ୍ୟାଡ ଥାଏ କିନ୍ତୁ ପିଏମ୍ ମୋଦୀଙ୍କ ଅପିଲ୍ ପରେ ସେ ତତ୍କାଳ ପ୍ରଭାବରୁ ୪ଟି ଗାଡ଼ି ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବୁଧବାର କ୍ୟାବିନେଟ୍ ବୈଠକରେ ମାତ୍ର ଚାରୋଟି ଗାଡ଼ି ସହ ପହଞ୍ଚିଥିଲେ । ପିଏମ୍ଙ୍କ ଅପିଲ୍ ପରେ ଗୃହମନ୍ତ୍ରୀ ଅମିତ ଶାହ ନିଜ ସୁରକ୍ଷା କାରକ୍ୟାଡରେ ଗାଡ଼ି ସଂଖ୍ୟା ତତ୍କାଳ ପ୍ରଭାବରୁ ହ୍ରାସ କରିଦେଇଛନ୍ତି । ସେ Z+ ସୁରକ୍ଷା ପ୍ରାପ୍ତ ଅଟନ୍ତି । ସାଧାରଣ ଭାବେ ତାଙ୍କ କାରକ୍ୟାଡରେ ୧୧ ରୁ ୧୨ଟି ଗାଡ଼ି ରହିଥାଏ ।
ପିଏମ୍ ମୋଦୀଙ୍କ ଅପିଲ୍ ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ମଧ୍ୟ ନିଜ କାରକ୍ୟାଡରେ ଗାଡ଼ି ସଂଖ୍ୟା କମ୍ କରିଦେଇଛନ୍ତି । ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ 'ଏକ୍ସ' (X) ରେ ଲେଖିଛନ୍ତି, ନିଜ କାରକ୍ୟାଡରେ ଗାଡ଼ି ସଂଖ୍ୟା କମ୍ କରି ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ ସେ ପ୍ରକୃତ ଅର୍ଥରେ ଦେଶର ‘ପ୍ରଧାନସେବକ’ । ଯେତେବେଳେ ନେତୃତ୍ୱ ନିଜେ ଉଦାହରଣ ସୃଷ୍ଟି କରେ, ତାହା ଗଣ-ଆନ୍ଦୋଳନରେ ପରିଣତ ହୁଏ । ବୈଶ୍ୱିକ ଆହ୍ୱାନ ମଧ୍ୟରେ ସମ୍ବଳର ସଠିକ୍ ଉପଯୋଗ ଅତ୍ୟନ୍ତ ଆବଶ୍ୟକ । ମୋଦୀ ଜୀଙ୍କର ଏହି ପଦକ୍ଷେପରୁ ପ୍ରେରଣା ନେଇ, ମୁଁ ମଧ୍ୟ ମୋ କାରକ୍ୟାଡର ଗାଡ଼ି କମ୍ କରୁଛି ଏବଂ ଶକ୍ତି ସଂରକ୍ଷଣ ଦିଗରେ ଅନ୍ୟ କେତେକ ପଦକ୍ଷେପ ନେଉଛି । ଆସନ୍ତୁ, ଆମେ ସମସ୍ତେ ମିଶି ସମ୍ବଳର ବିବେକପୂର୍ଣ୍ଣ ବ୍ୟବହାର କରିବା ଏବଂ ରାଷ୍ଟ୍ରହିତରେ ନିଜର ଅବଦାନ ସୁନିଶ୍ଚିତ କରିବା ।
ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେ ଦେଖାଗଲା PMଙ୍କ ଅପିଲ୍ର ପ୍ରଭାବ
ପିଏମ୍ ମୋଦୀଙ୍କ ଅପିଲ୍ ପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ନିଜ ସୁରକ୍ଷା କାରକ୍ୟାଡରେ ମାତ୍ର ଚାରୋଟି ଗାଡ଼ି ରଖିଛନ୍ତି । ନଡ୍ଡା Z+ ସୁରକ୍ଷା ପ୍ରାପ୍ତ ଅଟନ୍ତି । ସାଧାରଣ ଭାବେ ଜେପି ନଡ୍ଡାଙ୍କ କାରକ୍ୟାଡରେ ୧୦ ରୁ ୧୧ଟି ଗାଡ଼ି ରହିଥାଏ, କିନ୍ତୁ ଏବେ ସେ ଗାଡ଼ି ସଂଖ୍ୟା କମାଇ ଦେଇଛନ୍ତି । ସେହିପରି ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀମାନେ ମଧ୍ୟ ନିଜ କାରକ୍ୟାଡରେ ଗାଡ଼ି ସଂଖ୍ୟା ହ୍ରାସ କରି ୩ ରୁ ୪ ମଧ୍ୟରେ ରଖିଛନ୍ତି । ଏହିପରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିଜ ସୁରକ୍ଷା କାରକ୍ୟାଡରେ ଚାଲୁଥିବା ଗାଡ଼ି ସଂଖ୍ୟା ଅଧା କରିଦେଇଛନ୍ତି । ମଙ୍ଗଳବାର ଦିନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପିଏମ୍ ମୋଦୀଙ୍କ ଅପିଲ୍କୁ ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ ।