ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ଅର୍ଥାତ୍ ମେ' ୧୩ ତାରିଖରେ ବୋର୍ଡ ପକ୍ଷରୁ ପରୀକ୍ଷା ଫଳ ଘୋଷଣା କରାଯାଇଛି। ସଂଯୋଗବଶତଃ ଗତବର୍ଷ ମଧ୍ୟ ଠିକ୍ ଏହି ତାରିଖରେ ହିଁ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ପ୍ରାୟ ୧୮.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇ ନିଜ ରେଜଲ୍ଟକୁ ଚାହିଁ ରହିଥିଲେ।
କେଉଁଠି ଦେଖିବେ ରେଜଲ୍ଟ?
ଛାତ୍ରଛାତ୍ରୀମାନେ CBSE ର ଅଫିସିଆଲ୍ ୱେବସାଇଟ୍ cbse.gov.in କୁ ଯାଇ ନିଜର ପରୀକ୍ଷା ଫଳ ଦେଖିପାରିବେ। ୱେବସାଇଟ୍ ବ୍ୟତୀତ ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଡିଜିଲକର୍ (Digilocker) ଏବଂ ଉମଙ୍ଗ (UMANG) ଆପ୍ରେ ମଧ୍ୟ ରେଜଲ୍ଟ ଉପଲବ୍ଧ କରାଯାଇଛି। ଫଳାଫଳ ଘୋଷଣା ହେବା ମାତ୍ରେ ଏହି ପ୍ଲାଟଫର୍ମଗୁଡ଼ିକରେ CBSE 12th Result ଲିଙ୍କ୍ ସକ୍ରିୟ ହୋଇଯାଇଛି, ଯେଉଁଠାରୁ ପରୀକ୍ଷାର୍ଥୀମାନେ ସହଜରେ ନିଜର ମାର୍କସିଟ୍ ଡାଉନଲୋଡ୍ କରିପାରିବେ।
ରେଜଲ୍ଟ ଦେଖିବା ପାଇଁ ପ୍ରମୁଖ ୱେବସାଇଟ୍:
cbse.gov.in
results.cbse.nic.in
cbseresults.nic.in
digilocker.gov.in
ଚଳିତ ବର୍ଷ ମଧ୍ୟ ପ୍ରକାଶ ପାଇବନି ଟପ୍ପର ଲିଷ୍ଟ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ମଧ୍ୟ ପ୍ରତିବର୍ଷ ଭଳି ଏଥର ମଧ୍ୟ ବୋର୍ଡ କୌଣସି ‘ଟପ୍ପର ଲିଷ୍ଟ’ ବା ଶ୍ରେଷ୍ଠ ଦଶ ଜଣିଆ ତାଲିକା ଜାରି କରିବ ନାହିଁ। ଟପର ତାଲିକା ସ୍କୁଲଗୁଡ଼ିକ ଦ୍ୱାରା ପ୍ରକାଶିତ ହୁଏ। ଏଥର ମଧ୍ୟ ୧୦୦% ନମ୍ବର ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ହୋଇପାରେ।