ନୂଆଦିଲ୍ଲୀ: ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଥିବା NEET-UG ପେପର ଲିକ୍ ମାମଲା ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମ୍ କୋର୍ଟରେ ପହଞ୍ଚିଛି। ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା 'ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି' (NTA) ବିରୋଧରେ ଗୁରୁତର ଅଭିଯୋଗ ଆଣି 'ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍' (FAIMA) ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି।
ଏହି ଆବେଦନରେ NTA କୁ ପରୀକ୍ଷା ଦାୟିତ୍ୱରୁ ସମ୍ପୂର୍ଣ୍ଣ ଭାବେ ହଟାଇବା କିମ୍ବା ଏହି ସଂସ୍ଥାରେ ବ୍ୟାପକ ସଂସ୍କାର ଆଣି ଏକ ନୂତନ ସ୍ୱଚ୍ଛ ସଂସ୍ଥା ଗଠନ କରିବାକୁ ଦାବି କରାଯାଇଛି। ଆବେଦନକାରୀ କହିଛନ୍ତି ଯେ, ଦେଶର ମେଡିକାଲ୍ ଶିକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ସ୍ୱାଧୀନ ଓ ଅତ୍ୟାଧୁନିକ 'ନ୍ୟାସନାଲ ଏକ୍ଜାମିନେସନ ଇଣ୍ଟିଗ୍ରିଟି କମିଶନ' (NEIC) ପ୍ରତିଷ୍ଠା କରିବା ଏବେ ଜରୁରୀ ହୋଇପଡ଼ିଛି।
ଏହି ଆବେଦନରେ NEET-UG 2026 ପରୀକ୍ଷାକୁ ସୁପ୍ରିମ୍ କୋର୍ଟଙ୍କ ପ୍ରତ୍ୟକ୍ଷ ନଜରରେ ପୁନର୍ବାର କରିବାକୁ ଅନୁରୋଧ କରାଯାଇଛି। ପରୀକ୍ଷା ପରିଚାଳନା ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯେଉଁଥିରେ ସାଇବର ସୁରକ୍ଷା ବିଶେଷଜ୍ଞ ଏବଂ ଫୋରେନସିକ୍ ବୈଜ୍ଞାନିକମାନେ ସଦସ୍ୟ ରହିବେ।
ଏହା ସହିତ ପେପର ଲିକ୍ ଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପରୀକ୍ଷା ପ୍ରଶ୍ନପତ୍ରକୁ ଡିଜିଟାଲ୍ ଲକ୍ କରିବା ଏବଂ ପାରମ୍ପରିକ ଅଫଲାଇନ୍ ମୋଡ୍ ବଦଳରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT) କରାଇବାକୁ ଯୁକ୍ତି ବଢ଼ାଯାଇଛି। ଏହି ମାମଲାରେ ଚାଲିଥିବା CBI ତଦନ୍ତର ଅଗ୍ରଗତି ନେଇ ଆସନ୍ତା ୪ ସପ୍ତାହ ମଧ୍ୟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୋର୍ଟଙ୍କୁ ନିବେଦନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ମେ' ୩ ତାରିଖରେ ଅନୁଷ୍ଠିତ NEET-UG ପରୀକ୍ଷାରେ ପ୍ରାୟ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ତେବେ ରାଜସ୍ଥାନରୁ ଆରମ୍ଭ ହୋଇଥିବା ପେପର ଲିକ୍ ଘଟଣା ଏବେ ୫ଟି ରାଜ୍ୟକୁ ବ୍ୟାପିଥିବା ଜଣାପଡ଼ିଛି। ତଦନ୍ତରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ପ୍ରଶ୍ନପତ୍ର ଛପା ହେବା ପୂର୍ବରୁ ହିଁ ବାହାରକୁ ଆସିଯାଇଥିଲା ଏବଂ ବାୟୋଲୋଜି ଓ କେମିଷ୍ଟ୍ରିର ଅନେକ ପ୍ରଶ୍ନ ଲିକ୍ ହୋଇଥିବା ପେପର ସହ ମିଳିଯାଇଛି।
ଏହି ସାଂଘାତିକ ବିଭ୍ରାଟ ପରେ NTA ମଙ୍ଗଳବାର ଦିନ ଟ୍ୱିଟ୍ କରି NEET-UG 2026 ପରୀକ୍ଷାକୁ ରଦ୍ଦ କରିବା ସହ ଖୁବଶୀଘ୍ର ପୁନଃ ପରୀକ୍ଷା ପାଇଁ ନୂତନ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦେଇଛି। ବର୍ତ୍ତମାନ ସୁପ୍ରିମ୍ କୋର୍ଟଙ୍କ ପଦକ୍ଷେପ ଉପରେ ସାରା ଦେଶର ଆଶାୟୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ନଜର ରହିଛି।