ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଯୁଦ୍ଧ ସଂକଟ ଯୋଗୁଁ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ଦେଶରେ ଇନ୍ଧନ ସଞ୍ଚୟ କରିବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏବେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ କାରକେଡରେ ଗାଡ଼ି ସଂଖ୍ୟା କମାଇବା ସହ ସାଧାରଣ ପରିବହନ ବ୍ୟବହାର କରିବାକୁ ଆଗେଇ ଆସିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାରକେଡ ହେଲା ଅଧା
ଇନ୍ଧନ ସଞ୍ଚୟର ଏହି ପଦକ୍ଷେପ ନିଜେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନିଜ ସୁରକ୍ଷା ବଳୟ ବା କାରକେଡରେ ଥିବା ଗାଡ଼ି ସଂଖ୍ୟାକୁ ୫୦ ପ୍ରତିଶତ କମାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ପୁରୁଣା ଗାଡ଼ି ବଦଳରେ କାରକେଡରେ ଇଲେକ୍ଟ୍ରିକ୍ ଗାଡ଼ି (EV) ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଥିପାଇଁ କୌଣସି ନୂଆ ଗାଡ଼ି ନକିଣିବାକୁ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅନୁସରଣ କରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିଜ କାରକେଡରେ ଗାଡ଼ି ସଂଖ୍ୟାକୁ ଅଧାରୁ କମ୍ କରିଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ସି.ଆର୍ ପାଟିଲ୍ ଏସକର୍ଟ ଗାଡ଼ି ନନେବାକୁ ନିଷ୍ପତ୍ତି ନେଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।
ଉତ୍ତରପ୍ରଦେଶରେ ଯୋଗୀଙ୍କ କଡ଼ା ନିର୍ଦ୍ଦେଶ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅଭିଯାନକୁ ଅଧିକ ବ୍ୟାପକ କରିଛନ୍ତି। ସେ ନିଜର କାରକେଡ ସମେତ ସମସ୍ତ ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ସଂଖ୍ୟାକୁ ୫୦ ପ୍ରତିଶତ ହ୍ରାସ କରିବାକୁ ଆଦେଶ ଦେଇଛନ୍ତି। ଏହା ସହ ରାଜ୍ୟରେ ସପ୍ତାହକୁ ଦିନେ 'ନୋ ଭିହିକଲ୍ ଡେ'ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଅନାବଶ୍ୟକ ଯାତ୍ରା ରୋକିବା ପାଇଁ ଅତିକମରେ ୫୦ ପ୍ରତିଶତ ସରକାରୀ ବୈଠକ ଅନଲାଇନ୍ ମାଧ୍ୟମରେ କରିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଉତ୍ସାହ
କେବଳ ଉତ୍ତରପ୍ରଦେଶ ନୁହେଁ, ମଧ୍ୟପ୍ରାଚ୍ୟ ସଂକଟକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିଜ ସୁରକ୍ଷା କାରକେଡରେ କାଟଛାଣ୍ଟ କରିଛନ୍ତି। ମଧ୍ୟପ୍ରାଚ୍ୟର ଇନ୍ଧନ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର ନିଜେ ଇ-ସ୍କୁଟର ଚଲାଇ ଅଫିସ ଯାଉଥିବା ବେଳେ ଲଘୁ ଉଦ୍ୟୋଗ ନିଗମ ଅଧ୍ୟକ୍ଷ ସତ୍ୟେନ୍ଦ୍ର ଭୂଷଣ ସିଂହ ସରକାରୀ ଗାଡ଼ି ଛାଡ଼ି ଇ-ରିକ୍ସାରେ ଯାତ୍ରା କରୁଛନ୍ତି। ସେହିପରି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆଶିଷ ସୁଦ ମଧ୍ୟ ସାଧାରଣ ଜନତାଙ୍କୁ ଇନ୍ଧନ ସଞ୍ଚୟର ବାର୍ତ୍ତା ଦେବା ପାଇଁ ମେଟ୍ରୋ ଏବଂ ଇ-ରିକ୍ସାର ସାହାରା ନେଉଛନ୍ତି।