ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଇନଫୋ ଭ୍ୟାଲି ଥାନା ଅଧୀନ କାଇମାଟିଆ ଅଞ୍ଚଳର ଏକ ଘରୋଇ ମେସ୍ ରେ ଜଣେ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ଛାତ୍ରୀଙ୍କ ପ୍ରେମିକ ସହ ତାଙ୍କର ତିନିଜଣ ସାଙ୍ଗ ଜଡିତ ଥିବା ପୋଲିସ କହିଛି।
ଅଭିଯୁକ୍ତମାନେ ହେଲେ ସିପୁନ ବେହେରା, ରଞ୍ଜନ ବେହେରା, ଶୁଭଙ୍କର ପାଢ଼ୀ ଓ ରତିକାନ୍ତ। ସମସ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଘଟଣାକୁ ନେଇ ତଦନ୍ତ ଜୋରଦାର କରାଯାଇଛି।
ସୂଚନା ଅନୁସାରେ, ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ମେସ୍ର ରୁମକୁ ଡାକିଥିଲେ। ସେଠାରେ ପରେ ଏହି ଘଟଣା ଘଟିଥିବା କୁହାଯାଉଛି। ଘଟଣା ପରେ ପୀଡ଼ିତା ଇନଫୋ ଭ୍ୟାଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଚାରିଜଣଙ୍କୁ ଅଟକ ରଖିବା ପରେ ଗିରଫ କରିଛି।
ଘଟଣାସ୍ଥଳକୁ କମିଶନରେଟ୍ ପୋଲିସ ସହ ବୈଜ୍ଞାନିକ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତମାନଙ୍କୁ ପଚରାଉଚରା ଚାଲିଥିବା ବେଳେ, କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ପୋଲିସ ତଦନ୍ତ କରୁଛି। ରାଜଧାନୀରେ ଏପରି ଘଟଣା ପୁଣିଥରେ ମହିଳା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।