ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଚାଲିଥିବା ବ୍ରିକ୍ସ (BRICS) ବିଦେଶ ମନ୍ତ୍ରୀସ୍ତରୀୟ ବୈଠକରେ ଆଜି ଦେଖିବାକୁ ମିଳିଛି ଏକ ଭିନ୍ନ ମାହୋଲ। ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଅବ୍ବାସ ଅରାଘଚୀ ନିଜର ଆକ୍ରମଣାତ୍ମକ ଭାଷଣରେ ଆମେରିକା ଏବଂ ଇସ୍ରାଏଲ ଉପରେ ବର୍ଷିଛନ୍ତି। ଆମେରିକା ଓ ଇସ୍ରାଏଲର ଆଭିମୁଖ୍ୟକୁ "କ୍ରୂର ଏବଂ ବେଆଇନ" ବୋଲି ଦର୍ଶାଇ ସେ ସ୍ପଷ୍ଟ କରିଛନ୍ତି ଯେ ଇରାନ କୌଣସି ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ।
ଗ୍ଲୋବାଲ ସାଉଥ୍ ପାଇଁ ଇରାନର ଲଢ଼େଇ
ଅରାଘଚୀ କହିଛନ୍ତି ଯେ, ଇରାନର ଏହି ସଂଘର୍ଷ କେବଳ ନିଜ ପାଇଁ ନୁହେଁ, ବରଂ ସମଗ୍ର ‘ଗ୍ଲୋବାଲ ସାଉଥ୍’ (ବିକାଶଶୀଳ ରାଷ୍ଟ୍ର) ମାନଙ୍କ ପାଇଁ। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ ପାଶ୍ଚାତ୍ୟ ଦେଶଗୁଡ଼ିକର ମନମାନି ବିରୋଧରେ ଏକଜୁଟ ହେବାକୁ ବ୍ରିକ୍ସ ସଦସ୍ୟ ଦେଶମାନଙ୍କୁ ଆହ୍ୱାନ ଦେଇଛନ୍ତି। ଇରାନ ଉପରେ ହୋଇଥିବା ସାମରିକ ଆକ୍ରମଣରେ ପ୍ରାଣ ହରାଇଥିବା ସୈନିକ ଏବଂ ସାଧାରଣ ନାଗରିକଙ୍କ କଥା ମନେ ପକାଇ ସେ ବେଶ୍ ଭାବୁକ ହୋଇପଡ଼ିଥିଲେ।
“ଆମେ ସାମ୍ରାଜ୍ୟବାଦ ଆଗରେ ଆଣ୍ଠୁ ମାଡ଼ିବୁ ନାହିଁ”
ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ଦେଉଥିବା ଯୁକ୍ତିକୁ ଅରାଘଚୀ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତିଗୋଟିଏ ବର୍ଷ ମଧ୍ୟରେ ଇରାନ ଉପରେ ଦୁଇଥର ବଡ଼ ଧରଣର ଆକ୍ରମଣ କରାଯାଇଛି।IAEA ଏବଂ ନିଜେ ଆମେରିକାର ଗୁପ୍ତଚର ସଂସ୍ଥାର ରିପୋର୍ଟକୁ ଅଣଦେଖା କରି ଇରାନ ବିରୋଧରେ ମିଥ୍ୟା ପ୍ରଚାର କରାଯାଉଛି।ଇରାନର ଶିକ୍ଷକ, ଡାକ୍ତର ଏବଂ ମା’ମାନେ ଅନେକ ବଳିଦାନ ଦେଇଛନ୍ତି, କିନ୍ତୁ ନିଜ ସ୍ୱାଧୀନତାର ସିଦ୍ଧାନ୍ତରୁ ପଛକୁ ହଟିନାହାନ୍ତି।
ଇରାନର ବୈଦେଶିକ ମନ୍ତ୍ରୀ ଏହି ଲଢ଼େଇକୁ ଏକ ‘ବୈଚାରିକ ଯୁଦ୍ଧ’ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପାଶ୍ଚାତ୍ୟ ଶକ୍ତିଗୁଡ଼ିକ ଏବେ ଦୁର୍ବଳ ହେବାରେ ଲାଗିଛନ୍ତି, ତେଣୁ ସେମାନେ ଉଦୀୟମାନ ଗ୍ଲୋବାଲ ସାଉଥକୁ ରୋକିବା ପାଇଁ ଶେଷ ଚେଷ୍ଟା କରୁଛନ୍ତି। ବ୍ରିକ୍ସକୁ ସେ ଏକ ନ୍ୟାୟପୂର୍ଣ୍ଣ ବିଶ୍ୱ ବ୍ୟବସ୍ଥାର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି।
ନୂଆଦିଲ୍ଲୀର ବ୍ରିକ୍ସ ମଞ୍ଚରୁ ଇରାନର ଏହି ଗର୍ଜନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ଭାରତ ଏହି ସ୍ଥିତିରେ କିପରି ସନ୍ତୁଳନ ରକ୍ଷା କରୁଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି।