କାଠମାଣ୍ଡୁ/ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ନେପାଳ ସହିତ ସମ୍ପର୍କରେ ଏବେ ତିକ୍ତତା ଦେଖାଦେଇଛି। ନେପାଳର ନୂତନ ପ୍ରଧାନମନ୍ତ୍ରୀ ବାଲେନ୍ ସାହା ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ପୁରୁଣା ସୀମା ବିବାଦକୁ ଉସୁକାଇବା ସହ ଭାରତୀୟ ନାଗରିକଙ୍କ ପାଇଁ ନୂଆ କଟକଣା ଜାରି କରି ବାଲେନ୍ ସାହା ଏବେ ଚର୍ଚ୍ଚାରେ।
ଭାରତୀୟ ବିଦେଶ ସଚିବଙ୍କ ସହ ସାକ୍ଷାତ ମନା
ସବୁଠାରୁ ଆଶ୍ଚର୍ଯ୍ୟଜନକ ଖବର ହେଉଛି, ଭାରତର ବିଦେଶ ସଚିବ ବିକ୍ରମ ମିସ୍ରିଙ୍କ ନେପାଳ ଗସ୍ତ ବାତିଲ ହୋଇଯାଇଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ବାଲେନ୍ ସାହା ବିଦେଶ ସଚିବଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଯେ, ସେ କେବଳ ତାଙ୍କ ସମକକ୍ଷ ନେତାଙ୍କ ସହ ହିଁ ଆଲୋଚନା କରିବେ। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାଲେନ୍ ସାହାଙ୍କ ୪ଟି ବଡ଼ ଭାରତ ବିରୋଧୀ ପଦକ୍ଷେପ:
୧. ଲିପୁଲେଖ ଓ କାଲାପାନୀ ବିବାଦ: ଦୀର୍ଘ ଦିନରୁ ଚାଲିଆସୁଥିବା କାଲାପାନୀ ଓ ଲିପୁଲେଖ ସୀମା ବିବାଦକୁ ବାଲେନ୍ ସାହା ପୁଣି ଥରେ ସାମ୍ନାକୁ ଆଣିଛନ୍ତି। ମାନସରୋବର ଯାତ୍ରା ପାଇଁ ଚୀନ୍ ପକ୍ଷରୁ ଜାରି ଆଡଭାଇଜରି ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଏହି ଅଞ୍ଚଳ ଉପରେ ନେପାଳର ଦାବି ରହିଛି। ଭାରତ ଏହାକୁ ଅଯଥା ବିବାଦ ସୃଷ୍ଟି କରିବା ପାଇଁ ଏକ ଚାଲ୍ ବୋଲି ଅଭିହିତ କରିଛି।
୨. ଭାରତୀୟଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ: ଏଣିକି ଭାରତରୁ ନେପାଳ ଯାଉଥିବା ଭାରତୀୟ ନାଗରିକଙ୍କୁ ସବୁ ସମୟରେ ନିଜ ପାଖରେ ପରିଚୟ ପତ୍ର (ID Card) ରଖିବାକୁ ପଡ଼ିବ। ଏହାସହ ସୀମାରେ କଡ଼ା ସୁରକ୍ଷା ଯାଞ୍ଚ ଦେଇ ଗତି କରିବାକୁ ହେବ। ପୂର୍ବରୁ ୧୭୫୧ କିଲୋମିଟର ଲମ୍ବିଥିବା ଖୋଲା ସୀମାରେ ଏଭଳି କଟକଣା ନଥିଲା।
୩. ସାମଗ୍ରୀ କିଣିବା ଉପରେ ଟ୍ୟାକ୍ସ: ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ମଧେଶୀ ନାଗରିକମାନେ ନିଜର ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଭାରତରୁ କିଣିଥାନ୍ତି। କିନ୍ତୁ ବାଲେନ୍ ସରକାରଙ୍କ ନୂଆ ନିୟମ ଅନୁସାରେ, ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଭାରତରୁ ଆଣିଲେ କଷ୍ଟମ ଡ୍ୟୁଟି ବା ଟ୍ୟାକ୍ସ ଦେବାକୁ ପଡ଼ିବ। ଏହାଫଳରେ ସାଧାରଣ ଜନତା ମହଙ୍ଗା ମାଡ଼ରେ ଅତିଷ୍ଠ ହୋଇପଡ଼ିଛନ୍ତି।
୪. ଗ୍ରେଟର ନେପାଳ ମ୍ୟାପ୍ ଓ ପୁରୁଣା ଆଭିମୁଖ୍ୟ: କାଠମାଣ୍ଡୁର ମେୟର ଥିବା ସମୟରୁ ବାଲେନ୍ ସାହାଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ଜଣାପଡ଼ିଥିଲା। ସେ 'ଆଦିପୁରୁଷ' ଫିଲ୍ମ ଉପରେ ନିଷେଧାଦେଶ ଲଗାଇବା ସହ 'ଗ୍ରେଟର ନେପାଳ'ର ମ୍ୟାପ୍ ସେୟାର କରି ବିବାଦ ସୃଷ୍ଟି କରିଥିଲେ।