ମଧ୍ୟପୂର୍ବରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତି ଏବେ ସମଗ୍ର ବିଶ୍ୱ ଅର୍ଥନୀତିକୁ ଅସ୍ଥିର କରିଦେଇଛି। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ ତେହେରାନ ପକ୍ଷରୁ ହରମୁଜ୍ ପ୍ରଣାଳୀକୁ ଅବରୋଧ କରାଯାଇଥିବାରୁ ତୈଳ ବଜାରରେ ଭୟଙ୍କର ପ୍ରଭାବ ପଡ଼ିଛି। ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଓ LNG ଯୋଗାଣ ଏହି ସମୁଦ୍ର ପଥ ଉପରେ ନିର୍ଭର କରୁଥିବାରୁ, ଏହା ବନ୍ଦ ହେବା ସହିତ ଶକ୍ତି ସଙ୍କଟର ଆଶଙ୍କା ଘନୀଭୂତ ହୋଇଛି।
ଗୋଲ୍ଡମ୍ୟାନ୍ ସାକ୍ସର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ବିଶ୍ୱ ତୈଳ ଭଣ୍ଡାର ଆଠ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଫେବୃଆରୀରେ ୧୦୫ ଦିନ ପାଇଁ ଥିବା ତୈଳ ଭଣ୍ଡାର ଏବେ ୧୦୧ ଦିନକୁ ହ୍ରାସ ପାଇଥିବା ବେଳେ, ମେ ଶେଷ ସୁଦ୍ଧା ଏହା ୯୮ ଦିନକୁ ଖସିବାର ଆଶଙ୍କା ରହିଛି। ଯୁଦ୍ଧ ଆରମ୍ଭ ପରଠାରୁ ବିଶ୍ୱ ଭଣ୍ଡାରରୁ ୧ ବିଲିୟନ ବ୍ୟାରେଲରୁ ଅଧିକ ତୈଳ ବ୍ୟବହାର ହୋଇସାରିଛି। ପ୍ରତିଦିନ ୧୦ରୁ ୧୩ ମିଲିୟନ ବ୍ୟାରେଲ ତୈଳ ଅଭାବ ବିଶ୍ୱକୁ ଅଧିକ ଚିନ୍ତାରେ ପକାଇଛି।
ଏହି ସଙ୍କଟରେ ସବୁଠୁ ବଡ଼ ବିପଦରେ ରହିଛି ଭାରତ। କାରଣ ଦେଶ ନିଜର ୮୮ ପ୍ରତିଶତ ତୈଳ ଏବଂ ୮୦ ପ୍ରତିଶତ LPG ଆବଶ୍ୟକତା ପାଇଁ ଆମଦାନୀ ଉପରେ ନିର୍ଭରଶୀଳ। ଯଦି ହରମୁଜ୍ ପ୍ରଣାଳୀ ଆଉ କିଛି ସପ୍ତାହ ବନ୍ଦ ରହେ, ତେବେ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହୋଇପାରେ। ମୁଦ୍ରାସ୍ଫୀତି ବଢ଼ିବା ସହ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇପାରେ।
କେବଳ ଭାରତ ନୁହେଁ, ଚୀନ, ଜାପାନ, ଦକ୍ଷିଣ କୋରିଆ, ପାକିସ୍ତାନ ଓ ବାଂଲାଦେଶ ଭଳି ଦେଶ ମଧ୍ୟ ଗଭୀର ସଙ୍କଟରେ ପଡ଼ିପାରନ୍ତି। ବିଶେଷଜ୍ଞମାନଙ୍କ ଚେତାବନୀ ଅନୁଯାୟୀ, ଯଦି ସେପ୍ଟେମ୍ବର ପର୍ଯ୍ୟନ୍ତ ହରମୁଜ୍ ବନ୍ଦ ରହେ, ତେବେ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୨୦୦ ଡଲାର ଛୁଇଁପାରେ। ଏହା ବିଶ୍ୱ ଅର୍ଥନୀତିକୁ ଭୟଙ୍କର ଝଟକା ଦେବା ସହ ସାଧାରଣ ଲୋକଙ୍କ ଜୀବନକୁ ମଧ୍ୟ ଅସ୍ଥିର କରିଦେବ।
ଅଧିକ ପଢନ୍ତୁ: ପେଟ୍ରୋଲ-ଡିଜେଲ କମ ବ୍ୟବହାର କର, ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପିଏମ ମୋଦୀଙ୍କ ବଡ ବୟାନ