ହାଇଦ୍ରାବାଦ: ପଶ୍ଚିମ ଏସିଆ ବା ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତର ଶକ୍ତି ସୁରକ୍ଷାକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ତେଲେଙ୍ଗାନା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ର ସୀମିତ ତଥା ସଞ୍ଜମତା ସହ ବ୍ୟବହାର କରିବାକୁ ଅପିଲ୍ କରିଛନ୍ତି।
ସମୟର ଦାବି ଇନ୍ଧନ ଖର୍ଚ୍ଚ ଉପରେ ରୋକ୍!
ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରେ ପ୍ରାୟ ୯,୩୭୭ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ପିଏମ ମୋଦୀ କହିଛନ୍ତି ଯେ, ଭାରତ ନିଜର ଆବଶ୍ୟକତା ପାଇଁ ବହୁ ପରିମାଣରେ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳ। ବିଶ୍ୱ ରାଜନୀତିରେ ଚାଲିଥିବା ଅସ୍ଥିରତା ମଧ୍ୟରେ ଆମକୁ ପେଟ୍ରୋଲିୟମ୍ ସାମଗ୍ରୀର ଅପଚୟ ରୋକିବାକୁ ହେବ। "ଆଜି ସମୟର ଦାବି ହେଉଛି ଆମେ କେବଳ ଆବଶ୍ୟକତା ଅନୁସାରେ ହିଁ ତେଲ ଓ ଗ୍ୟାସ୍ ବ୍ୟବହାର କରିବା ଉଚିତ୍," ବୋଲି ସେ କହିଛନ୍ତି।
ବିକଳ୍ପ ଶକ୍ତି ଉପରେ ଭାରତର ଗୁରୁତ୍ୱ
ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା କାରଣରୁ ଭାରତ ସାମ୍ନାରେ ଶକ୍ତି ସଂକଟର ଆଶଙ୍କା ଦେଖାଦେଇଛି। ଏହି ସ୍ଥିତିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ବର୍ତ୍ତମାନ ଅକ୍ଷୟ ଶକ୍ତି (Renewable Energy) କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।
ତେଲେଙ୍ଗାନାକୁ ହଜାର ହଜାର କୋଟିର ଭେଟି
ନିଜର ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ଭିତ୍ତିଭୂମି ବିକାଶ ପାଇଁ ଏକାଧିକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିମଧ୍ୟରେ ରହିଛି ହାଇଦ୍ରାବାଦ-ପାଣାଜୀ ଇକୋନୋମିକ୍ କରିଡର: ଜାତୀୟ ରାଜପଥ-୧୬୭ର ଗୁଡେବେଲୁରୁରୁ ମହବୁବନଗର ପର୍ଯ୍ୟନ୍ତ ୪-ଲେନ୍ ବିଶିଷ୍ଟ ରାସ୍ତା। ୱାରଙ୍ଗଲଠାରେ ୧,୭୦୦ କୋଟି ଟଙ୍କାରେ ନିର୍ମିତ ଦେଶର ପ୍ରଥମ କାର୍ଯ୍ୟକ୍ଷମ ‘ପିଏମ୍ ମିତ୍ର ପାର୍କ’ (କାକତୀୟ ମେଗା ଟେକ୍ସଟାଇଲ୍ ପାର୍କ)। କାଜିପେଟ-ବିଜୟୱାଡା ମଲ୍ଟି-ଟ୍ରାକିଂ ଏବଂ ଅନ୍ୟାନ୍ୟ ରେଳ ଭିତ୍ତିଭୂମିର ବିକାଶ। ହାଇଦ୍ରାବାଦରେ ଏକ ଗ୍ରୀନଫିଲ୍ଡ ପିଓଏଲ୍ (POL) ଟର୍ମିନାଲ୍।
ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, କେନ୍ଦ୍ର ସରକାରଙ୍କ 5F ଭିଜନ କପଡ଼ା ଶିଳ୍ପକୁ ବିଶ୍ୱସ୍ତରୀୟ କରିବା ସହ ରପ୍ତାନି ବୃଦ୍ଧିରେ ସହାୟକ ହେବ। ଦକ୍ଷିଣ ଭାରତର ବିକାଶ ଉପରେ ବିଜେପି ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ଏହି ଗସ୍ତରୁ ସ୍ପଷ୍ଟ ଜଣାପଡୁଛି।