ଆଜିକାଲି ସ୍ୱାସ୍ଥ୍ୟ ପ୍ରତି ସଚେତନ ଲୋକଙ୍କ ପ୍ରଥମ ପସନ୍ଦ ହେଉଛି ‘ଗ୍ରୀନ ଟି’। ଓଜନ କମାଇବାରୁ ଆରମ୍ଭ କରି ଡାଇବେଟିସ୍, କୋଲେଷ୍ଟ୍ରୋଲ ଓ ତ୍ୱଚା ସମସ୍ୟା ପର୍ଯ୍ୟନ୍ତ 'ଗ୍ରୀନ ଟି'କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଚୀନରୁ ଆରମ୍ଭ ହୋଇଥିବା ଏହି ପାନୀୟ ଏବେ ସାରା ବିଶ୍ୱରେ ଫିଟନେସ୍ ଓ ହେଲ୍ଥ୍ ଲାଇଫ୍ ଷ୍ଟାଇଲର ଅଂଶ ହୋଇଯାଇଛି। ତେବେ ଗ୍ରୀନ ଟି’ରେ ଏମିତି କ’ଣ ରହିଛି, ଯାହା ପାଇଁ ଏହାକୁ “ହେଲ୍ଥ୍ ଡ୍ରିଙ୍କ” ବୋଲି କୁହାଯାଉଛି? ଚାଲନ୍ତୁ ଜାଣିବା...
ଗ୍ରୀନ ଟି’ ‘କ୍ୟାମେଲିଆ ସାଇନେସିସ୍’ ନାମକ ଗଛର ପତ୍ରରୁ ପ୍ରସ୍ତୁତ ହୋଇଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ, ପଲିଫିନୋଲ୍ସ ଓ ବିଭିନ୍ନ ପୋଷକତତ୍ୱ ଶରୀରକୁ ସୁସ୍ଥ ରଖିବାରେ ବଡ଼ ଭୂମିକା ନେଇଥାଏ। ନିକଟରେ ହୋଇଥିବା ଅନେକ ଅଧ୍ୟୟନ ଅନୁଯାୟୀ, ଗ୍ରୀନ ଟି’ ଟାଇପ୍-୨ ଡାଇବେଟିସ୍, ହୃଦରୋଗ, ଅଲ୍ଜାଇମର୍ ଓ ଲିଭର ସମସ୍ୟାରୁ ମଧ୍ୟ ଆରାମ ଦେଇପାରେ।
ଓଜନ କମାଇବାରେ ସହାୟକ
ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ଗ୍ରୀନ ଟି’ ଆପଣଙ୍କ ପାଇଁ ଭଲ ବିକଳ୍ପ ହୋଇପାରେ। ଏଥିରେ ଥିବା ପଲିଫିନୋଲ୍ସ ଶରୀରର ମେଟାବୋଲିଜମ୍ ବଢ଼ାଇଥାଏ ଓ ଶରୀରରେ ଜମିଥିବା ଅତିରିକ୍ତ ମେଦକୁ ଶୀଘ୍ର କମାଇବାରେ ସହଯୋଗ କରେ। ବିଶେଷକରି ପେଟ ଚାରିପାଖରେ ଥିବା ଫ୍ୟାଟ୍ କମାଇବାରେ ଏହା ଲାଭଦାୟକ ବୋଲି ଅନେକ ଗବେଷଣାରେ କୁହାଯାଇଛି।
କ୍ୟାନସର କମାଇପାରେ
ଗ୍ରୀନ ଟି’ରେ ଥିବା ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଶରୀରର କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ। କିଛି ଅଧ୍ୟୟନରୁ ଜଣାପଡ଼ିଛି ଯେ, ନିୟମିତ ଗ୍ରୀନ ଟି’ ପିଇବା ଦ୍ୱାରା ବ୍ରେଷ୍ଟ କ୍ୟାନସର, ପ୍ରୋଷ୍ଟେଟ୍ କ୍ୟାନସର ଓ ଏସୋଫାଗସ୍ କ୍ୟାନସର ଭଳି ରୋଗର ଝୁମ୍କି କମିପାରେ।
ଡାଇବେଟିସ୍ ନିୟନ୍ତ୍ରଣରେ ଲାଭଦାୟକ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଗ୍ରୀନ ଟି’ ରକ୍ତରେ ସୁଗାର ଲେଭେଲ୍କୁ ନିୟନ୍ତ୍ରଣ କରିବା ସହ ଇନସୁଲିନ ସେନ୍ସିଟିଭିଟିକୁ ମଧ୍ୟ ସୁଧାରିଥାଏ। ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଲାଭକାରୀ ହୋଇପାରେ।
ମସ୍ତିଷ୍କକୁ ରଖେ ଆକ୍ଟିଭ୍
ଗ୍ରୀନ ଟି’ରେ ଥିବା କଫିନ୍ ଓ L-ଥିନାଇନ୍ ନାମକ ଏମିନୋ ଏସିଡ୍ ମସ୍ତିଷ୍କକୁ ସକ୍ରିୟ କରିଥାଏ। ଏହା ଧ୍ୟାନ କେନ୍ଦ୍ରିତ କରିବା, ସ୍ମୃତିଶକ୍ତି ବଢ଼ାଇବା ଓ ମାନସିକ ଚାପ କମାଇବାରେ ସହାୟତା କରେ।
ତେବେ ମନେ ରଖନ୍ତୁ, ଅଧିକ ପରିମାଣରେ ଗ୍ରୀନ ଟି’ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ। ସେଥିପାଇଁ ଦିନକୁ ୨ରୁ ୩ କପ୍ ଗ୍ରୀନ ଟି’ ପିଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି।