ଚେନ୍ନାଇ: ଆଜିଠୁ ତାମିଲନାଡୁରେ ଆରମ୍ଭ ହୋଇଛି ବିଜୟ ରାଜ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଦାୟିତ୍ୱ ସମ୍ଭାଳିଛନ୍ତି ଟିଭିକେ ମୁଖ୍ୟ ଥାଲାପତି ବିଜୟ । ଏହା ସହିତ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ହେଲେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ପରେ ଥାଲାପତି ବିଜୟ ଗୋଟିଏ ସିଟରୁ ଇସ୍ତଫା ଦେଇଛନ୍ତି । କାରଣ ସେ ଦୁଇଟି ସିଟରୁ ନିର୍ବାଚନ ଲଢିଥିଲେ । ଏବେ ସେ ତିରୁଚିରାପଲ୍ଲୀ ପୂର୍ବ ସିଟରୁ ଇସ୍ତଫା ଦେଇଛନ୍ତି । ଆଉ ପେରମ୍ବୁର ସିଟ ନିଜ ପାଖରେ ରଖିଛନ୍ତି ।
ଏହି ଦୁଇଟି ସିଟ୍ ମିଶାଇ ଟିଭିକେ ପାଖରେ ଥିଲା ୧୦୮ ସିଟ୍ । ଏବେ ବିଜୟ ଗୋଟିଏ ସିଟ୍ ଛାଡିବା ପରେ ଟିଭିକେର ବିଧାୟକ ସଂଖ୍ୟା ୧୦୭ରେ ରହିଛି । ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ୂର୍ବରୁ ବିଜୟ ଗୋଟିଏ ସିଟରୁ ଇସ୍ତଫା ଦେଇଛନ୍ତି । ଏହାର ଇସ୍ତଫା ପତ୍ର ସେ ବିଧାନସଭାର ପ୍ରମୁଖ ସଚିବ କେ ଶ୍ରୀନିବାସନଙ୍କ ନିକଟକୁ ପଠାଇଛନ୍ତି ।
ଏହା ପୂର୍ବରୁ ବିଜୟ କହିଥିଲେ ଯେ, ସେ କୌଣସି ରାଜକୀୟ ପରିବାରରୁ ଆସିନାହାନ୍ତି। ଜଣେ ସାଧାରଣ ମଣିଷ ଭାବେ ଜନତା ତାଙ୍କୁ ଆପଣେଇଛନ୍ତି ଏବଂ ସେବା କରିବାର ସୁଯୋଗ ଦେଇଛନ୍ତି। ସେ କହିଛନ୍ତି, ଏହି କ୍ଷମତା ଜନତାଙ୍କର, ଆଉ ମୁଁ କେବଳ ସେମାନଙ୍କର ସେବକ। ସରକାରୀ ଅର୍ଥର ପ୍ରତିଟି ପଇସାର ହିସାବ ରଖାଯିବ ଏବଂ କ୍ଷମତାର ଅପବ୍ୟବହାରକୁ କଦାପି ପ୍ରଶ୍ରୟ ଦିଆଯିବ ନାହିଁ।
ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ବିଜୟ ନିଜର ପ୍ରଥମ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛନ୍ତି।ଘରୋଇ ଗ୍ରାହକଙ୍କ ପାଇଁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଜନା ଫାଇଲ୍ରେ ସେ ପ୍ରଥମେ ସ୍ୱାକ୍ଷର କରିଛନ୍ତି। ସୁପରଷ୍ଟାରରୁ ଜନନେତା ପାଲଟିଥିବା ସି. ଜୋସେଫ୍ ବିଜୟ (ଥାଲାପତି ବିଜୟ) ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
Also Read: ୨୦୦ ୟୁନିଟ୍ ମାଗଣା ବିଜୁଳି, ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ଥାଲାପତି ବିଜୟ ଦେଲେ ଦୁଇଟି ବଡ ଆଦେଶ