ଭୁବନେଶ୍ୱର : ମାଡି ଆସୁଛି ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଜି ବଙ୍ଗୋପସାଗରରେ ଲୋ ପ୍ରେସର ସୃଷ୍ଟି ହେବା ନେଇ ଆଇଏମଡି ପୂର୍ବାନୁମାନ କରିଛି। ତେବେ ଲଘୁଚାପର ରୂପ, ତୀବ୍ରତା କଣ ରହିବ ଏବଂ କେଉଁ ଅଞ୍ଚଳକୁ ପ୍ରଭାବିତ କରିବ ସେନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ। ବର୍ତ୍ତମାନ ଏହି ସିଷ୍ଟମ୍ ଏହାର ପ୍ରାଥମିକ ସ୍ତରରେ ଅଛି। କିଛି ପାଣିପାଗ ମଡେଲ୍ ଏହା ଅବପାତର ରୂପ ନେଇପାରେ ବୋଲି ଆକଳନ କରୁଛନ୍ତି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ଗତିପଥ ଓ ତୀବ୍ର ହୋଇପାରେ।
ତେବେ ରାଜ୍ୟରେ ଦୁଇଟି ପାଗ ଅନୁଭୂତ ହେଉଛି। ଗୋଟିଏ ପଟେ ସକାଳ ୮ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ଦିନ ୩ଟାରେ ପରେ ଲଘୁଚାପ ପରାଭବରୁ ବର୍ଷା ଲାଗି ରହୁଛି। ତେବେ ଗତକାଲି ମଧ୍ୟ ଅନେକ ଜିଲ୍ଲାରେ ବିଜୁଳି ଘଡଘଡି ସହିତ ମାଧ୍ୟମ ଧରଣର ବର୍ଷା ହୋଇଛି। ଏପରିକି ୩୦ରୁ ୪୦ କିମି ବେଗରେ ମଧ୍ୟ ପବନ ବୋହିଛି। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହିପରି ପାଗ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଉଛି। ଅନ୍ୟପଟେ ବଙ୍ଗୋପସାଗରରେ ୪୮ ଘଣ୍ଟାରେ ଲଘୁଚାପ ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।