ପୁଣିଥରେ ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ ନେଇ ବିବାଦର କେନ୍ଦ୍ରବିନ୍ଦୁରେ ଇସ୍କନ। ଲଣ୍ଡନ ନିକଟସ୍ଥ ୱାଟଫୋର୍ଡରେ ଥିବା ଇସ୍କନର ଭକ୍ତି ବେଦାନ୍ତ ମନ୍ଦିରରେ ଆଜି ଅଦିନିଆ ସ୍ନାନଯାତ୍ରା ଆୟୋଜନ କରାଯାଇଥିବାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମହାପ୍ରଭୁଙ୍କ ପାରମ୍ପରିକ ନୀତିକାନ୍ତିକୁ ଅମାନ୍ୟ କରାଯାଉଛି ବୋଲି ଅନେକ ସେବାୟତ ଓ ଭକ୍ତ ମତ ପ୍ରକାଶ କରିଛନ୍ତି।
ଇସ୍କନ ପକ୍ଷରୁ ନିଜସ୍ୱ ୱେବସାଇଟ ଓ ସୋସିଆଲ୍ ମିଡିଆରେ ଏହି ସ୍ନାନଯାତ୍ରା ସମ୍ବନ୍ଧୀୟ ସୂଚନା ଜାରି କରାଯାଇଛି। ଭାରତୀୟ ସମୟ ଅନୁସାରେ ଦିନ ୧ଟା ୪୫ ମିନିଟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି ଆରମ୍ଭ ହେବା ସହ ପରେ ହାତୀ ବେଶ ମଧ୍ୟ କରାଯିବ ବୋଲି କୁହାଯାଇଛି। କିନ୍ତୁ ଏହାକୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ଅନେକ ମହଳରେ ଅସନ୍ତୋଷ ତୀବ୍ର ହୋଇଛି।
ଅନେକଙ୍କ ମତରେ, ଶ୍ରୀମନ୍ଦିରର ନୀତି ଓ ପରମ୍ପରା ନିର୍ଦ୍ଧାରିତ ସମୟ ଓ ତିଥି ଅନୁଯାୟୀ ପାଳନ କରାଯାଏ। ଏଭଳି ଅଦିନିଆ ସ୍ନାନଯାତ୍ରା କିମ୍ବା ରଥଯାତ୍ରା ଆୟୋଜନ କରିବା ମହାପ୍ରଭୁଙ୍କ ପାରମ୍ପରିକ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି। ପୂର୍ବରୁ ମଧ୍ୟ ବିଦେଶରେ ଇସ୍କନ ପକ୍ଷରୁ ଏପରି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଏହାକୁ ନେଇ ବିବାଦ ଜନ୍ମ ନେଇଥିଲା।
ଏପରିକି ଗଜପତି ମହାରାଜ ମଧ୍ୟ ଇସ୍କନକୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଥିଲେ। ପରମ୍ପରା ଭଙ୍ଗ କରି ଅଦିନିଆ ରଥଯାତ୍ରା କିମ୍ବା ସ୍ନାନଯାତ୍ରା ନ କରିବାକୁ ସେ ପରାମର୍ଶ ଦେଇଥିଲେ। ତଥାପି ଇସ୍କନ ପକ୍ଷରୁ ପୁଣି ଏଭଳି ଆୟୋଜନ କରାଯିବା ଘଟଣା ଭକ୍ତମାନଙ୍କ ଭାବନାକୁ ଆଘାତ କରିଥିବା ଅଭିଯୋଗ ହେଉଛି।