ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ରାତି ଅନ୍ଧାରରେ ଚୋରମାନେ ଦେଖାଇଛନ୍ତି ଫିଲ୍ମୀ ଷ୍ଟାଇଲ୍ କାରନାମା। ବସଷ୍ଟାଣ୍ଡ ନିକଟରେ ଥିବା ‘ଶିବା ମୋବାଇଲ’ ଦୋକାନର କାନ୍ଥ କାଟି ଚୋରମାନେ ଲକ୍ଷାଧିକ ଟଙ୍କାର ଦାମୀ ମୋବାଇଲ ଓ ନଗଦ ଟଙ୍କା ଲୁଟି ନେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧ଟା ସମୟରେ ଚୋରମାନେ ଦୋକାନର ପଛପଟ କାନ୍ଥକୁ କଣା କରି ଭିତରକୁ ପ୍ରବେଶ କରିଥିଲେ। ପରେ ଦୋକାନ ଭିତରେ ଥିବା ୪୭ଟି ଦାମୀ ମୋବାଇଲ, ୯ଟି ଡେମୋ ମୋବାଇଲ ଓ ଡ୍ରରେ ରଖାଯାଇଥିବା ୧୫ ହଜାରରୁ ଅଧିକ ଟଙ୍କା ଚୋରୀ କରି ଫେରାର ହୋଇଯାଇଥିଲେ।
ରବିବାର ସକାଳେ ଦୋକାନ ମାଲିକ ପ୍ରତିଦିନ ଭଳି ଦୋକାନ ଖୋଲିବାକୁ ଆସିଥିଲେ। କିନ୍ତୁ ଭିତରକୁ ପସିବା ପରେ ତାଙ୍କ ହୋସ ଉଡ଼ିଯାଇଥିଲା। ଦୋକାନର ସାମଗ୍ରୀ ଛିନ୍ନଭିନ୍ନ ହୋଇଥିବା ବେଳେ ମୋବାଇଲ ଖୋଲା ଯାକ ଖାଲି ପଡ଼ିଥିଲା। ପଛ କାନ୍ଥରେ ଥିବା ବଡ଼ କଣା ଦେଖି ସେ ଚୋରୀ ସମ୍ପର୍କରେ ଜାଣିପାରିଥିଲେ।
ଘଟଣା ପରେ ଦୋକାନ ମାଲିକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରମାନେ ପୂର୍ବରୁ ରେକି କରି ଏହି ଯୋଜନାବଦ୍ଧ ଚୋରୀ କରିଥିବା ସନ୍ଦେହ କରାଯାଉଛି।
ସେପଟେ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରୀ ହୋଇଯାଇଥିବାରୁ ଦୋକାନ ମାଲିକ ବହୁତ ଚିନ୍ତାରେ ଅଛନ୍ତି। ଚୋରୀ ହୋଇଥିବା ମୋବାଇଲ ଫେରି ମିଳିବ କି ନାହିଁ, ସେନେଇ ତାଙ୍କ ମନରେ ଏବେ ବଡ଼ ପ୍ରଶ୍ନ।