ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି କୋର୍ଟ ପରିସରରୁ ଦୁଷ୍କର୍ମ ଅଭିଯୁକ୍ତ ଫେରାର ଘଟଣାକୁ ନେଇ ପୋଲିସ ବିଭାଗରେ ଚଞ୍ଚଳତା ସୃଷ୍ଟି ହୋଇଛି। ଅଭିଯୁକ୍ତକୁ କୋର୍ଟକୁ ନେଇଥିବା ୨ ଜଣ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭଦ୍ରକ ଏସ୍ପି ମନୋଜ ରାଉତ। ଅବହେଳା ଅଭିଯୋଗରେ ଉଭୟ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି।
ଫେରାର ଅଭିଯୁକ୍ତଙ୍କ ନାମ ଦେବବ୍ରତ ଦାସ। ସେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦୀର୍ଘ ୭ ବର୍ଷ ଧରି ଫେରାର ଥିଲେ। ୨୦୧୯ ମସିହାରେ ବାଂଶଡ଼ା ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ଦୀର୍ଘ ସମୟ ଧରି ପୋଲିସକୁ ଚକମା ଦେଇ ଆସୁଥିବା ଦେବବ୍ରତଙ୍କୁ ସମ୍ପ୍ରତି ୱାରେଣ୍ଟ ବଳରେ ଗିରଫ କରାଯାଇଥିଲା।
ଗତ ୭ ତାରିଖରେ ଦୁଇ ଜଣ କନଷ୍ଟେବଳ ତାଙ୍କୁ ବାଂଶଡ଼ା ଥାନାରୁ ଚାନ୍ଦବାଲି କୋର୍ଟକୁ ନେଇଥିଲେ। କିନ୍ତୁ କୋର୍ଟ ପରିସରରେ ଥିବା ବାରଣ୍ଡାରୁ ହଠାତ୍ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ପୋଲିସ ମହଲରେ ହଡ଼କମ୍ପ ସୃଷ୍ଟି ହୋଇଥିଲା।
ଘଟଣାକୁ ଗୁରୁତ୍ୱର ସହ ନେଇ ଭଦ୍ରକ ଏସ୍ପି ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଏସ୍ପିଙ୍କ ଦ୍ୱାରା ଘଟଣାର ଫିଲ୍ଡ ଇନକ୍ୱାରୀ କରାଯାଇଥିଲା। ତଦନ୍ତରେ ଦୁଇ କନଷ୍ଟେବଳଙ୍କ ଅବହେଳା ସାମ୍ନାକୁ ଆସିବା ପରେ ଉଭୟଙ୍କୁ ସସ୍ପେଣ୍ଡ୍ କରାଯାଇଛି।
ପୋଲିସ ହେପାଜତରୁ ଜଣେ ଗୁରୁତର ଅଭିଯୁକ୍ତ ଫେରାର ହେବା ଘଟଣା କୋର୍ଟ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଏବେ ଫେରାର ଅଭିଯୁକ୍ତଙ୍କୁ ପୁଣିଥରେ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି।
ଅଧିକ ପଢନ୍ତୁ: ବାଲିଅନ୍ତା ଭିଡ ଭିତରେ ହତ୍ୟା ଘଟଣା; ବଦଳିଲେ IIC, ୪ ପୋଲିସ ଅଧିକାରୀ ସସ୍ପେଣ୍ଡ୍