ରାଜ୍ୟରେ ଏବେ ବି କାଳବୈଶାଖୀର ପ୍ରଭାବ ଜାରି ରହିଛି। ଗତ କିଛି ଦିନ ଧରି ଅନେକ ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି ଓ ଝଡ଼ ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିବା ବେଳେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଏହା ସହ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବର୍ଷା ସହ ଘଡ଼ଘଡ଼ି ଓ ୩୦ରୁ ୪୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଜାରି ରହିପାରେ। ଆସନ୍ତାକାଲି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରକୁ ପୁଣିଥରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଅନ୍ୟପଟେ, ଆଗାମୀ ୨ରୁ ୩ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନ ହେବା ସମ୍ଭାବନା ଥିବା ବେଳେ ପରେ ଏହା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିପାରେ। ଆଜି ବଲାଙ୍ଗୀରରେ ସର୍ବାଧିକ ୩୯.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।