କାଠମାଣ୍ଡୁ: ଅବତରଣ ବେଳେ ବିମାନରେ ଲାଗିଲା ନିଆଁ। ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ବିମାନ ଯାତ୍ରୀ। ନେପାଳର ରାଜଧାନୀ କାଠମାଣ୍ଡୁରେ ସୋମବାର ପ୍ରଭାତରେ ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନର ଡାହାଣ ପାର୍ଶ୍ୱ ଲ୍ୟାଣ୍ଡିଂ ଗିଅର ଟାୟାରରେ ହଠାତ୍ ନିଆଁ ଲାଗିଯାଇଥିଲା। ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ବିମାନ ଚାରିପାଖରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଅଗ୍ନିଶମ ବିଭାଗ ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତତ୍ପରତା ଯୋଗୁଁ ୨୭୮ ଯାତ୍ରୀ ଓ ୧୧ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଇସ୍ତାନବୁଲରୁ କାଠମାଣ୍ଡୁ ଆସୁଥିବା TK726 ବିମାନଟି ଆଜି ଭୋର ସମୟରେ ଲ୍ୟାଣ୍ଡିଂ କରୁଥିବା ବେଳେ ହଠାତ୍ ଟାୟାରରୁ ନିଆଁ ବାହାରିବା ଆରମ୍ଭ ହୋଇଥିଲା। ଦେଖୁଦେଖୁ ଘନ ଧୂସର ଧୂଆଁ ସମଗ୍ର ରନୱେ ଅଞ୍ଚଳକୁ ଆଚ୍ଛାଦିତ କରିଦେଇଥିଲା। ବିମାନ ଭିତରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। କେହି ଭଗବାନଙ୍କୁ ସ୍ମରଣ କରୁଥିଲେ, ତ ଆଉ କେହି ପରିବାରକୁ ଫୋନ କରିବାକୁ ଚେଷ୍ଟା କରୁଥିଲେ।
ଘଟଣା ପରେ ତୁରନ୍ତ ଏୟାରପୋର୍ଟର ଜରୁରୀକାଳୀନ ସେବା ସକ୍ରୀୟ ହୋଇଥିଲା। ଅଗ୍ନିଶମ ଗାଡ଼ି ରନୱେରେ ପହଞ୍ଚି କିଛି ସମୟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରିଥିଲା। ପରେ ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଖୋଲାଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଖବର ଅନୁଯାୟୀ, ବିମାନରେ ଜାତିସଂଘର କିଛି ଅଧିକାରୀ ମଧ୍ୟ ଯାତ୍ରା କରୁଥିଲେ।
ସୋସିଆଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ ହୋଇଛି। ସେଥିରେ ବିମାନର ଲ୍ୟାଣ୍ଡିଂ ଗିଅରରୁ ନିଆଁ ବାହାରୁଥିବା ଓ ଧୂଆଁରେ ଆଛାଦିତ ଦୃଶ୍ୟ ଦେଖିବାକୁ ମିଳୁଛି। ଯଦିଓ ଏହି ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ତଦନ୍ତ ଆରମ୍ଭ କରିଛନ୍ତି ବିମାନ ଚଳାଚଳ କର୍ତ୍ତୃପକ୍ଷ।
ଅଧିକ ପଢନ୍ତୁ: ଶୁଭେନ୍ଦୁ ଅଧିକାରୀ PA ଙ୍କୁ ଗୁଳି କରି ହତ୍ୟା ମାମଲା; ବିହାର ଓ ୟୁପିରୁ ୩ ଅଭିଯୁକ୍ତ ଗିରଫ