ସରକାରୀ କାମରେ ଅବହେଳା ଓ ଦୁର୍ନୀତିକୁ ନେଇ କଡ଼ା ମୁଡରେ ରହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ସେ ଅଧିକାରୀମାନଙ୍କୁ ସିଧାସଳଖ କଡ଼ା ଚେତାବନୀ ଦେଇ କହିଛନ୍ତି, କାମର ଗୁଣବତ୍ତାରେ କୌଣସି ପ୍ରକାର ରାଜିନାମା ସହ୍ୟ କରାଯିବ ନାହିଁ।
ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା ଧରାପଡ଼ିଲେ କେବଳ ଠିକାଦାର ନୁହେଁ, ସଂପୃକ୍ତ ଅଧିକାରୀମାନେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ। ଏପରିକି ଅଧିକାରୀମାନଙ୍କୁ ଠିକାଦାରଠାରୁ ଅଧିକ କଠୋର ଦଣ୍ଡ ମିଳିପାରେ ବୋଲି ସେ ଚେତାବନୀ ଦେଇଛନ୍ତି।
“ସରକାର ଲୋକଙ୍କ ଟଙ୍କାରେ ଉନ୍ନୟନ କାମ କରୁଛନ୍ତି। ତେଣୁ ଅଧିକାରୀମାନଙ୍କ ଦାୟିତ୍ୱ ହେଉଛି କାମକୁ ନିରୀକ୍ଷଣ କରିବା, ଗୁଣବତ୍ତା ଯାଞ୍ଚ କରିବା ଓ ସନ୍ତୋଷଜନକ ହେଲେ ତୁରନ୍ତ ବିଲ୍ ପେମେଣ୍ଟ କରିବା,” ବୋଲି କହିଥିଲେ ମନ୍ତ୍ରୀ।
ମାର୍ଚ୍ଚ ମାସରୁ ୩୧ଟି କାମର ବିଲ୍ ଅଟକିଥିବାକୁ ନେଇ ମନ୍ତ୍ରୀ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। କାମ ସରିଥିଲେ ମଧ୍ୟ କାହିଁକି ପେମେଣ୍ଟ ହେଉନାହିଁ ବୋଲି ସେ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଯଦି ‘ପର୍ସେଣ୍ଟେଜ୍ କମିଶନ’ ପାଇଁ ବିଲ୍ ଅଟକାଇ ରଖାଯାଇଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସଂପୃକ୍ତଙ୍କ ବିରୋଧରେ କଠୋର ଆକ୍ସନ୍ ନିଆଯିବ ବୋଲି ସେ ସତର୍କ କରିଛନ୍ତି।
ଏହା ସହିତ, ଅଗ୍ରୀମ ଅର୍ଥ ମିଳିଥିଲେ ମଧ୍ୟ କାମରେ ଟଙ୍କା ଖର୍ଚ୍ଚ ନହେବାକୁ ନେଇ ମନ୍ତ୍ରୀ ଅସନ୍ତୋଷ ଜଣାଇଥିଲେ ଏବଂ ସମସ୍ତ କାମରେ ସ୍ୱଚ୍ଛତା ଓ ତୁରନ୍ତ ବିଲ୍ କ୍ଲିୟରେନ୍ସ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।