ଭୁବନେଶ୍ୱର: ଓଡ଼ିଶାରେ ପରିବହନ ବ୍ୟବସ୍ଥାକୁ ନୂଆ ରୂପ ଦେବାକୁ ଆଗେଇଛନ୍ତି ରାଜ୍ୟ ସରକାର। ଖୁବ୍ ଶୀଘ୍ର ଓଡ଼ିଶା ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (OSRTC)ର ସମସ୍ତ ବସ୍କୁ ଇଲେକ୍ଟ୍ରିକ୍ ଭେହିକଲ୍ (EV)ରେ ପରିଣତ କରାଯିବ। ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟକୁ ଦୃଷ୍ଟିରେ ରଖି ଏହି ବଡ଼ ପଦକ୍ଷେପ ନେଇଛନ୍ତି ସରକାର।
ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ରାଜ୍ୟରେ ଇଭି ଗାଡିର ବ୍ୟବହାର ବଢ଼ାଇବା ପାଇଁ ଚାର୍ଜିଂ ଷ୍ଟେସନ୍ ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯାଉଛି। ସରକାର ପକ୍ଷରୁ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ୍ ପାଇଁ ଅନୁମୋଦନ ମିଳିଥିବାବେଳେ, ୩୦ଟି ଷ୍ଟେସନ୍ର କାମ ସମାପ୍ତ ହୋଇସାରିଛି। ଏପରିକି କେବଳ ଭୁବନେଶ୍ୱରରେ ୧୫ଟି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ହେବାକୁ ଯାଉଛି।
ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଭୟଙ୍କର ଇଭି ଗାଡି ବ୍ୟବହାର ଉପରେ ବିଶେଷ ଆଗ୍ରହ ରହିଛି। ଇଭି ବ୍ୟବହାର ଦ୍ୱାରା କେବଳ ପ୍ରଦୂଷଣ କମିବ ନୁହେଁ, ଇନ୍ଧନ ଖର୍ଚ୍ଚ ମଧ୍ୟ ବହୁ ପରିମାଣରେ ସଞ୍ଚୟ ହେବ। ପ୍ରକୃତି ଓ ପରିବେଶର ସନ୍ତୁଳନ ରକ୍ଷା ପାଇଁ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।
ବିଭୂତି ଜେନା ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାରକେଡ୍କୁ ଅଧା କରିସାରିଛନ୍ତି ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସେହି ପଦକ୍ଷେପ ଅନୁସରଣ କରିବେ। ନିଜେ ମଧ୍ୟ ଆଜିଠାରୁ ଇଭି ଗାଡିରେ ଯାତ୍ରା କରିବେ ବୋଲି ସେ କହିଛନ୍ତି। ଆବଶ୍ୟକ ନଥିଲେ ବସ୍ରେ ଯାତ୍ରା କରିବାକୁ ମଧ୍ୟ ସେ ପ୍ରସ୍ତୁତ ବୋଲି ଜଣାଇଛନ୍ତି।