ଭୁବନେଶ୍ୱର ବାଲିଅନ୍ତାରେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା ଘଟଣା। ଏହି ଚର୍ଚ୍ଚିତ ମାମଲାର ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ୍ ରଞ୍ଜିତ ପାତ୍ରକୁ କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱରପଡ଼ା ଅଞ୍ଚଳରୁ ଗିରଫ କରିଛି ପୁଲିସ୍।
ତଦନ୍ତରୁ ଜଣାପଡ଼ିଛି, ସୌମ୍ୟରଞ୍ଜନଙ୍କୁ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ବାଉଁଶରେ ପିଟାଯାଇଥିଲା। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ହେବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବାବେଳେ କ୍ରାଇମବ୍ରାଞ୍ଚ ଏବେ ମାମଲାର ଖୋଳତାଡ଼ ଜାରି ରଖିଛି।
ଏପର୍ଯ୍ୟନ୍ତ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରାଯାଇଥିବାବେଳେ, କ୍ରାଇମବ୍ରାଞ୍ଚର ଦୁଇଟି ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛି। ଅନ୍ୟପଟେ ଘଟଣାକୁ ନେଇ ପୁଲିସ ବିଭାଗରେ ମଧ୍ୟ ବଡ଼ ଆକ୍ସନ୍ ନିଆଯାଇଛି।
ବାଲିଅନ୍ତା ଥାନା ଆଇଆଇସି ଅନୀଲ ପରିଡ଼ାଙ୍କୁ ୟୁପିଡି ଭୁବନେଶ୍ୱର ମୁଖ୍ୟାଳୟକୁ ବଦଳି କରାଯାଇଥିବାବେଳେ ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସେହିପରି ଜଣେ ଏସ୍ଆଇ, ଜଣେ ଏଏସ୍ଆଇ, ଜଣେ ଓଏପିଏଫ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହା ସହ ଜଣେ କନଷ୍ଟେବଲ ଓ ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।