ନୟାଗଡ଼: ରାଜ୍ୟରେ ପୋଲିସ ପ୍ରଶାସନର ଖାମଖିଆଲ ମନୋଭାବ ଧିରେ ଧିରେ ବଢ଼ିବାରେ ଲାଗିଛି । ନୟାଗଡ ଓଡ଼ଗାଁ ଥାନା କଦଳୀ ବନ୍ଧ ଅଜିତ ସାହୁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ବାର ଘଣ୍ଟାରେ ଗିରଫ କରି ବାଃ ବାଃ ସାଉଁଟିବାକୁ ଚେଷ୍ଟା କରୁଥିବା ନୟାଗଡ଼ ପୋଲିକୁ ଏବେ ଲଜ୍ଜିତ ହେବାକୁ ପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ପୋଲିସ ମୁକ୍ତ କରିଛି ।
ଗତ ସୋମବାର ଭୋର ସମୟରେ ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ ସାହୁଙ୍କୁ ଅତି ବୀଭତ୍ସ ଭାବେ ପଥର ମାଫିଆମାନେ ହତ୍ୟା କରିଥିଲେ । ମାଙ୍କଡ଼ା ପଥର ଚୋରା ଚାଲାଣକୁ ବିରୋଧ କରିବା ସମୟରେ ଅଭିଯୁକ୍ତମାନେ ଅଜିତଙ୍କ ଦୁଇ ହାତ କାଟି ଦେବା ସହ ଶରୀରର ବିଭିନ୍ନ ସ୍ଥାନରେ ମାରାତ୍ମକ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଏହା ପରେ ମାତ୍ର ୧୨ ଘଣ୍ଟା ମଧ୍ୟରେ ଘଟଣାରେ ସମ୍ପୃକ୍ତ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ କେନ୍ଦ୍ରାଞ୍ଚଳ ଆଇଜିପି (IGP CR) ଡାକ୍ତର ସତ୍ୟଜିତ ନାୟକ ସୂଚନା ଦେଇଥିଲେ । ନୟାଗଡ଼ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ସୂଚନା ପ୍ରଦାନ କରିବା ସମୟରେ କପଡ଼ା ଭିତରେ ଥିବା ଜଣେ ଅଭିଯୁକ୍ତ ସେ ନିର୍ଦ୍ଦୋଷ ବୋଲି ଚିତ୍କାର କରି ପ୍ରତିବାଦ କରିଥିଲେ ।
ଅଜିତ୍ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଓଡ଼ଗାଁ ପୋଲିସ କୋମଣ୍ଡ ଅଞ୍ଚଳର ଶ୍ରୀଧର ସାହୁଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା। ପୋଲିସର ଦାବି ଅନୁଯାୟୀ ଶ୍ରୀଧର ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିଲେ। କିନ୍ତୁ ଗିରଫ ସମୟଠାରୁ ହିଁ ଶ୍ରୀଧର ନିଜକୁ ନିର୍ଦୋଷ ବୋଲି ଚିତ୍କାର କରି କହିଆସୁଥିଲେ। ଶ୍ରୀଧର ବାରମ୍ବାର କହୁଥିଲେ, "ମୁଁ ନିର୍ଦୋଷ, ମୁଁ କିଛି ଜାଣିନାହିଁ।" ଏହି ଘଟଣାଟି ଉପସ୍ଥିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି କରିଥିଲା। ଗତକାଲି ଶ୍ରୀଧରଙ୍କୁ ପୋଲିସ ମୁକ୍ତ କରିଥିବା ସୂଚନା ମିଳିଛି।
ସେପଟେ ନୟାଗଡ଼ ଏସପି ଭୁଲ ସ୍ୱୀକାର କରିବା ବଦଳରେ ସଫେଇ ଦେଇଛନ୍ତି । ଉକ୍ତ ବ୍ୟକ୍ତିଙ୍କୁ ଗିରଫ ନୁହେଁ ବରଂ ଅଟକ ରଖାଯାଇଥିଲା ବୋଲି କହିଛନ୍ତି ଏସପି ।