ଅନୁଗୁଳ: ସାବିତ୍ରୀ ବ୍ରତ ପାଇଁ ଭଉଣୀ ଘରକୁ ଭାର ନେଇଯାଉଥିଲେ ଭାଇ। ହାତରେ ଥିଲା ସ୍ନେହର ଉପହାର, ମନରେ ଥିଲା ଭଉଣୀକୁ ଖୁସି କରିବାର ଆଶା। କିନ୍ତୁ କିଏ ଜାଣିଥିଲା, ଏହି ଯାତ୍ରା ହେବ ତାଙ୍କ ଜୀବନର ଶେଷ ଯାତ୍ରା। ଅନୁଗୁଳ ଜିଲ୍ଲା ଜରପଡା ଥାନା ସାନ୍ତରାପୁର ଛକ ନିକଟରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣେ ଭାଇର ଜୀବନ।
ମୁଣ୍ଡାସାହି ଗାଁର ଅନିଲ ପ୍ରଧାନ ନିଜ କୁନି ଝିଅ ସହ ଅନୁଗୁଳ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅନିଲଙ୍କ ମୃତ୍ୟୁ ଘଟିଥିବା ବେଳେ କୁନି ଝିଅଟି ଅଳ୍ପକେ ବଞ୍ଚିଯାଇଛି। ତେବେ ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଭଉଣୀ ପାଇଁ ନେଇଯାଉଥିବା ସାବିତ୍ରୀ ଭାର ଅଧାରେ ରହିଗଲା। ଖବରପାଇ ଜରପଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ସେହିପରି ଗତକାଲି ଯାଜପୁରରେ ମଧ୍ୟ ସାବିତ୍ରୀ ଭାର ଦେଇ ଘରକୁ ଫେରୁଥିବା ଏକ ପରିବାର ଉପରେ ମାଡ଼ିଆସିଥିଲା ଦୁର୍ଘଟଣା। ଜାରକା ଛକ ନିକଟରେ ଅଟୋକୁ ପଛରୁ କାର ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା, ସ୍ୱାମୀ ଓ ଶାଶୁ ଗୁରୁତର ଆହତ ହୋଇଥିଲେ। ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରିବା ସମୟରେ ଦୁର୍ଘଟଣାରେ ମାଆଙ୍କ ମୃତ୍ୟୁ ଘଟିଛି।