ଭୁବନେଶ୍ୱର: ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟରେ ମୋହନ ଚରଣ ମାଝୀ ନେତୃତ୍ୱାଧୀନ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁଥିବା ବିଶେଷ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୋଦିଙ୍କୁ ରାଜ୍ୟ ସରକାର ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି।
ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଯେ, ଦୁଇ ବର୍ଷର ସଫଳତାକୁ ନେଇ ସରକାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛି। ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ଓଡ଼ିଶା ଗସ୍ତକୁ ନେଇ ମଧ୍ୟ ଆଲୋଚନା ଚାଲିଥିବା ସେ କହିଛନ୍ତି।
ତେବେ ଏଥର ପୂର୍ତ୍ତି ଉତ୍ସବ ହେବ ସରଳ ଓ ସଂଯମପୂର୍ଣ୍ଣ। ସରକାର ବର୍ତ୍ତମାନ ଖର୍ଚ୍ଚ କମାଇବା ଓ ଆର୍ଥିକ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଉଥିବାରୁ ଯଦି ମୋଦୀ ଯୋଗଦିଅନ୍ତି, ତେବେ କାର୍ଯ୍ୟକ୍ରମକୁ ନିରାଡମ୍ବର ଭାବେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନ୍ ୨୦ ତାରିଖରେ ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୋଦି ଓଡ଼ିଶା ଆସିଥିଲେ। ସେତେବେଳେ ପ୍ରାୟ ୧୯ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥରର ଗସ୍ତ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ଭାବେ ଖୁବ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି।