ଓଡ଼ିଶାରେ ପୁଣି ବଦଳିବ ପାଗ। ଆସନ୍ତା କାଲିଠାରୁ ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ବିଜୁଳି ଏବଂ ଜୋରଦାର ପବନ ବହିବା ନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ(IMD)। କେତେକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
IMD ସୂଚନା ଅନୁସାରେ କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ ଓ ଗଜପତି ଜିଲ୍ଲାରେ ବିକେଳ ଓ ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ସହ ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ଏହି କାରଣରୁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ, ପୁରୀ, ଖୋର୍ଦ୍ଧା ସହ ଅନେକ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ସହ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ଯେଲୋ ଆଲର୍ଟ ଜାରି କରାଯାଇଛି।
IMD ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ବଜ୍ରପାତ ସମୟରେ ଗଛ ତଳେ ନ ରହିବାକୁ ଓ ଅତ୍ୟାବଶ୍ୟକ ନହେଲେ ଘରୁ ବାହାରିବାକୁ ମନା କରାଯାଇଛି। କୃଷକ ଓ ବାହାରେ କାମ କରୁଥିବା ଲୋକଙ୍କୁ ଅଧିକ ସତର୍କ ରହିବାକୁ IMD ଅନୁରୋଧ କରିଛି।