ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ/ଡିଜେଲ୍ର ଅଭାବ ନେଇ ଖବର ସାମ୍ନାକୁ ଆସିଛି । ଉପାନ୍ତ ଜିଲ୍ଲାଠାରୁ ଆରମ୍ଭ କରି ଉପକୂଳ ଜିଲ୍ଲା ପର୍ଯ୍ୟନ୍ତ ସବୁଠି ସମାନ ସ୍ଥିତି ଉତ୍ପନ୍ନ ହୋଇଛି । କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, ଗଞ୍ଜାମ, ବଲାଙ୍ଗୀର, ରାଉରକେଲା ଏବଂ ପାରାଦୀପର ବିଭିନ୍ନ ସ୍ଥାନରେ ତେଲର ଅଭାବ ଥିବା ଦେଖାଦେଇଛି । ଆଉ ଯେଉଁଠି ତେଲ ମିଳୁଛି ସେଠାରେ ଲମ୍ବା ଲାଇନ୍ ଲାଗିଛି । ତେଣୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି । ରାଜ୍ୟ ତେଲ ସଙ୍କଟ ଦେଖା ଦେଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି ।
ରାଜ୍ୟରେ ତେଲ ସଙ୍କଟ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗାଣ ସଚିବ ପ୍ରମୁଖ ସଚିବ । ଘରୋଇ ବସ୍ ମାଲିକ ସଂଘର ଆଶଙ୍କାକୁ ଭିତ୍ତିହୀନ ବୋଲି କହିଛନ୍ତି ସଚିବ । ତେଲ ସଙ୍କଟ ଆଦୌ ନାହିଁ ବୋଲି ସେ ସଚିବ କହିଛନ୍ତି । ସଚିବଙ୍କ ମୁତାବକ, ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇଛି । ଡ୍ରାଏ ଆଉଟ୍ ସ୍ଥିତି ମ୍ୟାନେଜମେଣ୍ଟର ଅଭାବ ଯୋଗୁଁ ହୋଇଛି । ତେଲ ଅଭାବ ଯୋଗୁଁ ଆଦୌ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇନି । ସ୍ୱାଭାବିକ ସ୍ଥିତିରେ ବି ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଯାଏ । ଏଭଳି ଡ୍ରାଏ ଆଉଟ୍ ସ୍ଥିତିର ମନିଟରିଂ ଚାଲିଛି । ଆବଶ୍ୟକୀୟ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ସଚିବ । ତେଣୁ ଭୟଭୀତ ହୋଇ ଆଦୌ ତେଲ ନ କିଣିବାକୁ ଜନସାଧାରଣଙ୍କୁ ଯୋଗାଣ ବିଭାଗ ସଚିବ ପରାମର୍ଶ ଦେଇଛନ୍ତି ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ରାଜ୍ୟରେ ତୈଳ ସଙ୍କଟ ଦେଖା ଦେଇଛି । ଏଭଳି ସମସ୍ୟା ଲାଗି ରହିଲେ ୬ ରୁ ୭ ଦିନରେ ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯିବ । ତେଣୁ ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି । ପବ୍ଲିକ୍ ଟ୍ରାନ୍ସପୋର୍ଟ ପାଇଁ କାର୍ଡ ବ୍ୟବସ୍ଥା କରି ଡିଜେଲ ଦେବାକୁ କହିଛନ୍ତି । ଏବେ ରାଜ୍ୟରେ ମୋଟ ୧୪ ହଜାର ଘରୋଇ ବସ୍ ଚାଲିଛି । ତେଲ ନ ମିଳିବାରୁ ପ୍ରାୟ ୨୦୦୦ ବସ୍ ବନ୍ଦ ହୋଇପଡ଼ିଥିବାବେଳେ ଗ୍ରାମାଞ୍ଚଳରେ ତେଲ ନ ମିଳିବାରୁ ବସ୍ଗୁଡ଼ିକ ଆସିପାରୁ ନାହିଁ ବୋଲି ସେ କହିଛନ୍ତି ।