ରାଜ୍ୟରେ ଜାରି ଥିବା ତୈଳ ସଙ୍କଟକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ତୀବ୍ର ହୋଇଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ। ସେ କହିଛନ୍ତି, ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ, ବରଂ ଏକ “ଜାତୀୟ କ୍ରାଇସିସ”। ଭାରତ ବାହାରୁ ତୈଳ ଆମଦାନୀ କରୁଥିବାରୁ ବିଶ୍ୱସ୍ତରରେ ସପ୍ଲାଇ ଚେନ୍ ପ୍ରଭାବିତ ହେଲେ ତାହାର ସିଧାସଳଖ ପ୍ରଭାବ ଦେଶ ଉପରେ ପଡ଼ୁଛି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଦେଶ ଏବେ ଏକ କଷ୍ଟକର ସମୟ ମଧ୍ୟକୁ ଯାଉଛି। ତଥାପି ଲୋକମାନେ ଧୈର୍ଯ୍ୟ ଧରି ପରିସ୍ଥିତିକୁ ଗ୍ରହଣ କରୁଛନ୍ତି। ସେ କହିଛନ୍ତି, “ଯେତେବେଳେ ତୈଳ ସଙ୍କଟ ହୁଏ, ସେତେବେଳେ ସବୁ କ୍ଷେତ୍ର ପ୍ରଭାବିତ ହୁଏ। ଏଭଳି ସମୟରେ ସମସ୍ତ ଦେଶ ଏକାଠି ହୋଇ ଲଢ଼େଇ କରିବାକୁ ପଡ଼ିବ।”
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଉଲ୍ଲେଖ କରି ସେ କହିଛନ୍ତି, ଦେଶର ଅର୍ଥନୀତିକୁ ସଠିକ ଭାବରେ ଚଳାଇବା ପାଇଁ କିଛି କଠିନ ନିଷ୍ପତ୍ତି ନେବା ଆବଶ୍ୟକ। ସାଧାରଣ ଲୋକ କଷ୍ଟ ସତ୍ତ୍ୱେ ମଧ୍ୟ ସହଯୋଗ କରୁଛନ୍ତି। କିନ୍ତୁ କେତେକ ଲୋକ ଏହି ସମୟରେ ଅନାବଶ୍ୟକ ଭୟ ବା ଗୁଜବ ସୃଷ୍ଟି କରି ପରିସ୍ଥିତିକୁ ଆହୁରି ଜଟିଳ କରୁଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ଅନ୍ୟ ଦେଶମାନେ ଏହିପରି ସଙ୍କଟର ଭୟଙ୍କର ପରିଣାମ ଭୋଗିଛନ୍ତି। କିନ୍ତୁ ଭାରତର ପୂର୍ବ ପ୍ରସ୍ତୁତି ଓ ଯୋଜନା ଯୋଗୁଁ ପରିସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣରେ ରହିଛି। ସପ୍ଲାଇ ଚେନ୍ରେ ବାଧା ଯୋଗୁଁ ତୈଳ ଯୋଗାଣ ପ୍ରଭାବିତ ହୋଇଥିବା ସେ କହିଛନ୍ତି। ଶେଷରେ ସେ ଲୋକଙ୍କୁ ଶାନ୍ତ ଓ ସଚେତନ ରହିବା ସହ ଅନାବଶ୍ୟକ ଭାବେ ତେଲ ମହଜୁଦ ନକରିବାକୁ ଆହ୍ୱାନ ଦେଇଛନ୍ତି।